ବେଲୁଚିସ୍ତାନ : ବେଲୁଚିସ୍ତାନରେ ପାକିସ୍ତାନର ସୁରକ୍ଷା ଚ୍ୟାଲେଞ୍ଜ ବଢିବାରେ ଲାଗିଛି । ବେଲୁଚିସ୍ତାନ ମାସ୍ତୁଙ୍ଗ ଜିଲ୍ଲାର ଖାଡକୋଚା ଅଞ୍ଚଳରେ ପାକିସ୍ତାନୀ ସୁରକ୍ଷା ବାହିନୀର ଏକ କନଭୟ ଉପରେ ବଡ଼ ଆକ୍ରମଣ କରିଥିବା BLA ଦାବି କରିଛି । ଏହି ଆକ୍ରମଣରେ ୪୫ ଜଣ ପାକିସ୍ତାନୀ ସେନାଙ୍କ ମୃତ୍ୟୁ ଘଟିଥିଲାବେଳେ ଅନେକ ଆହତ ହୋଇଛନ୍ତି ।
ସୂଚନାନୁଯାୟୀ, ବେଲୁଚିସ୍ତାନର ମାସ୍ତୁଙ୍ଗ ଜିଲ୍ଲାରେ ପାକିସ୍ତାନ ସୈନିକମାନଙ୍କୁ ନେଇ ଯାଉଥିବା ଏକ କନଭୟ ଉପରେ BLA ଆକ୍ରମଣ କରିଥିବା ଦାବି କରିଛି । ଏହାରି ମଧ୍ୟରେ BLA ମୁଖପାତ୍ର ଜିଆଣ୍ଡ ବୋଲଚ କହିଛନ୍ତି ଯେ ଏହି ଆକ୍ରମଣ କନଭୟ, ଏହାର ସୁରକ୍ଷା ଦଳ ଏବଂ ପରେ ଘଟଣାସ୍ଥଳରେ ପହଞ୍ଚିଥିବା ଅନ୍ୟାନ୍ୟ ସେନା ୟୁନିଟ ବସକୁ ଟାର୍ଗେଟ କରାଯାଇଥିଲା । ଏହି ଆକ୍ରମଣଟି ଫତେହ ସ୍କ୍ବାର୍ଡ ଦ୍ବାରା କରାଯାଇଥିଲା । ଏହି ଆକ୍ରମଣ ପରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ଫଳରେ ଏଥିରେ ୪୫ ରୁ ଅଧିକ ସେନାଙ୍କର ମୃତ୍ୟୁ ଘଟିଥିଲାବେଳେ ଅନେକ ଆହତ ହୋଇଛନ୍ତି । ଯୁଦ୍ଧ ଜାରି ରହିବା ସହ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ମଧ୍ୟ ସଂଗଠନ କହିଛି । କିନ୍ତୁ ଏହି BLA ଦାବିଗୁଡ଼ିକୁ ପାକିସ୍ତାନୀ ସେନା କିମ୍ବା ସରକାରଙ୍କ ଦ୍ୱାରା ଆନୁଷ୍ଠାନିକ ଭାବରେ ନିଶ୍ଚିତ କରାଯାଇ ନାହିଁ ।
ଅନ୍ୟପଟେ ଏହା ଉଲ୍ଲେଖନୀୟ ଯେ ଗତ କିଛି ମାସ ମଧ୍ୟରେ, BLA ବେଲୁଚିସ୍ତାନରେ ପାକିସ୍ତାନୀ ସାମରିକ ବାହିନୀ, ଅର୍ଦ୍ଧସାମରିକ ବାହିନୀ ଏବଂ ସରକାରୀ ପ୍ରତିଷ୍ଠାନ ଉପରେ ଅନେକ ବଡ଼ ଆକ୍ରମଣ ପାଇଁ ଦାୟୀ ହୋଇଛି । ଯାହା ଏହି ଅଞ୍ଚଳର ସୁରକ୍ଷା ପରିସ୍ଥିତିକୁ ଚାପଗ୍ରସ୍ତ କରିଛି ଏବଂ ପାକିସ୍ତାନ ସରକାରଙ୍କ ଉପରେ ଚାପ ବୃଦ୍ଧି କରୁଛି ।

