Resdd

ନୂଆଦିଲ୍ଲୀ: ପବନ କୁମାର ବଂସଲ୍‌ଙ୍କୁ ହଟାଇ ରବିବାର ଦିନ କଂଗ୍ରେସ ଦଳର ବରିଷ୍ଠ ନେତା ଅଜୟ ମାକନ୍‌ଙ୍କୁ ତା’ର ନୂଆ କୋଷାଧ୍ୟକ୍ଷ ଭାବେ ନିଯୁକ୍ତ କରିଛି। କିଛି ମାସ ହେବ ରାଜସ୍ଥାନ କଂଗ୍ରେସର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିବା ଅଜୟ ମାକନ୍‌ ରାହୁଲ୍‌ ଗାନ୍ଧୀଙ୍କର ଘନିଷ୍ଠ ବୋଲି ବିଚାର କରାଯାଏ। ସେବେଠାରୁ ସେ ଦଳର କୌଣସି ପଦବଦବୀରେ ନ ଥିଲେ।

କଂଗ୍ରେସର ସାଧାରଣ ସମ୍ପାଦକ କେ. ସି. ବେଣୁଗୋପାଳ ଦେଇଥିବା ବିବୃତିରେ କହିଛନ୍ତି, ଅଜୟ ମାକନଙ୍କୁ କଂଗ୍ରେସ ଅଧ୍ୟକ୍ଷ ‘ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି’ର କୋଷାଧ୍ୟକ୍ଷଭାବେ ନିଯୁକ୍ତ କରଯାଇଛି। ବିଦାୟୀ କୋଷାଧ୍ୟକ୍ଷ ପବନ କୁମାର ବଂସଲଙ୍କ ଅବଦାନକୁ ମଧ୍ୟ ଦଳ ସ୍ବୀକୃତି ଦେଉଛି। ଏହାଛଡ଼ା, କୋଷାଧ୍ୟକ୍ଷ ହେବା ପୂର୍ବରୁ ବଂସଲ୍‌ ‘ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି’ର ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ଥିଲେ। ପୁନର୍ବାର ତାଙ୍କୁ ଖଡ୍‌ଗେ ‘ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି’ର ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ଅହମଦ୍‌ ପଟେଲ୍‌ଙ୍କ ଦେହାନ୍ତ ପରେ ବଂସଲ୍‌ଙ୍କୁ କାମଚଳା ବା ଅନ୍ତରୀଣ କୋଷାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ସେ ଉକ୍ତ ପଦବୀରେ ପ୍ରାୟ ୩ ବର୍ଷ ରହିଲେ। ନୂଆ ଦାୟିତ୍ବ ଦେଇଥିବାରୁ କଂଗ୍ରେସ ନେତୃତ୍ବକୁ ଅଜୟ ମାକନ୍‌ କୃତଜ୍ଞତା ଜଣାଇ କହିଛନ୍ତି, ସେମାନଙ୍କର ତତ୍ତ୍ବାବଧାରକ ଭାବେ ମୁଁ ସାଧୁତା ଓ ନିଷ୍ଠାର ସହିତ ନୂଆ ଭୂମିକା ନିର୍ବାହ କରିବି।

Share