ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ଏବଂ ହିମାଚଳରେ ପ୍ରବଳ ବର୍ଷା ଜାରି ରହିଛି । ଭାରତୀୟ ପାଣିପାଗ ବିଭାଗ ଏସବୁ ରାଜ୍ୟରେ ଆଗାମୀ ୫ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ଦେଖି ଜିଲ୍ଲା ପ୍ରଶାସନକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛି । ରାଜ୍ୟରେ ଲଗାତାର ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ୯୯ ରାସ୍ତା ବନ୍ଦ ରହିଛି ବୋଲି ଏସଇଓସି କହିଛି ।
ଏସଇଓସି ରିପୋର୍ଟ ଅନୁସାରେ, ରାଜ୍ୟରେ ମୋଟ ୯୯ ସଡ଼କ ବନ୍ଦ ରହିଛି । ଏଥିରେ ଦୁଇଟି ଜାତୀୟ ରାଜମାର୍ଗ ସହିତ ଅନ୍ୟ ରାସ୍ତା ବନ୍ଦ ପଡ଼ିଛି । ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ପିଥୋରାଗଡ, ଚମୋଲି, ରୁଦ୍ରପ୍ରୟାଗ, ଉତ୍ତରକାଶୀ, ଡେରାଡୁନ, ଟିହରି ଓ ପୋଡିର ଅନେକ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି । ରାସ୍ତା ସଫା କରିବା ପାଇଁ ପ୍ରଶାସନ ଲାଗି ରହିଛି ।
ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ସତ୍ତ୍ବେ ଚାରଧାମ ଯାତ୍ରା ସୂଚାରୁରୂପେ ଜାରି ରହିଛି । ପ୍ରଶାସନ ଲଗାତାର ପାଗ ଉପରେ ନଜର ରଖିଛି । ଏହାରି ଭିତରେ କୈଳାସ ମାନସରୋବର ପାଇଁ ଯାତ୍ରା କରିଥିବା ଦ୍ବିତୀୟ ଟିମ୍ ର ଜଣେ ଶ୍ରଦ୍ଧାଳୁଙ୍କ ଜବୀନ ଚାଲିଯାଇଛି । ଚାରଧାମ ଯାତ୍ରାରେ ଏଯାଏଁ ୪୫ ଲକ୍ଷ ଶ୍ରଦ୍ଧାଳୁ ପହଞ୍ଚିଛନ୍ତି । ବଦ୍ରିନାଥରେ ୧୫.୨୭ ଲକ୍ଷ, କେଦାରନାଥରେ ୧୪.୧୧ ଲକ୍ଷ, ଗଙ୍ଗୋତ୍ରୀ ଧାମରେ ୭.୦୩ ଲକ୍ଷ ଏବଂ ଯମୁନେତ୍ରୀରେ ୬.୪୭ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି ।
ପାଣିପାଗ ବିଭାଗ ଅନୁସାରେ ୨୩ ଜୁଲାଇରୁ ୨୭ ଜୁଲାଇ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିପାରେ । ପର୍ବତୀୟ ଜିଲ୍ଲାରେ ଭୂସ୍ଖଳନ, ବୋଲଡର ପଡିବା ଏବଂ ନଦୀନାଳରେ ପ୍ରବଳ ସ୍ରୋତ ହେବା ଆଶଙ୍କା କରାଯାଉଛି । ପ୍ରଶାସନ ସମ୍ବେଦନଶୀଳ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ କରିଛି । ଅନାବଶ୍ୟକ ଯାତ୍ରାରୁ ବଞ୍ଚିବା ପାଇଁ ଆଡଭାଇଜରୀ ପାଳନ କରିବାକୁ ଅପିଲ କରିଛି । ଏସଡିଆରଏଫ ଟିମ୍ ସମସ୍ତ ଆବଶ୍ୟକୀୟ ଜିନିଷ ସହିତ ପ୍ରସ୍ତୁତ ରହିଛି ।

