ପ୍ରତିବାଦ ପାଇଁ ପୁଲିସ ଅନୁମତି କାହିଁକି ଜରୁରୀ?
ଭାରତୀୟ ସମ୍ବିଧାନ ଅନୁଯାୟୀ ‘ଆଇନ ଓ ଶୃଙ୍ଖଳା(Laws and Orders)’ ରାଜ୍ୟ ତାଲିକାର ବିଷୟ। ତେଣୁ ପ୍ରତ୍ୟେକ ରାଜ୍ୟ ନିଜସ୍ୱ ନିୟମ ଅନୁଯାୟୀ ପ୍ରତିବାଦ କିମ୍ବା ସାର୍ବଜନୀନ ସଭା ପାଇଁ ଅନୁମତି ଦେଇଥାଏ। ଆୟୋଜକମାନଙ୍କୁ ସମ୍ପୃକ୍ତ ଥାନା କିମ୍ବା ଡିସିପି କାର୍ଯ୍ୟାଳୟରୁ ‘ନୋ ଅବଜେକ୍ସନ ସାର୍ଟିଫିକେଟ୍ (NOC)’ ନେବାକୁ ପଡ଼େ। ଆବେଦନରେ ଆୟୋଜକଙ୍କ ନାମ, ଠିକଣା, ଯୋଗାଯୋଗ ନମ୍ବର, ପ୍ରତିବାଦର କାରଣ, ସମୟ, ସ୍ଥାନ, ଅଂଶଗ୍ରହଣକାରୀଙ୍କ ସଂଖ୍ୟା, ରାଲିର ମାର୍ଗ ଏବଂ ଲାଉଡ୍ସ୍ପିକର, ଟେଣ୍ଟ ଆଦି ବ୍ୟବହାରର ବିବରଣୀ ଦେବାକୁ ହୁଏ। ପରିଚୟପତ୍ର, ଠିକଣା ପ୍ରମାଣପତ୍ର ଓ ଅନ୍ୟାନ୍ୟ ଦଲିଲ ମଧ୍ୟ ଦାଖଲ କରିବାକୁ ପଡ଼େ।
ଅନୁମତି ନାକଚ କରିପାରିବ କି ପୋଲିସ?
ହଁ, ଯଦି କୌଣସି ପ୍ରତିବାଦ ଦେଶର ସାର୍ବଭୌମତ୍ୱ, ରାଷ୍ଟ୍ର ସୁରକ୍ଷା, ବିଦେଶୀ ରାଷ୍ଟ୍ର ସହ ସମ୍ପର୍କ, ସାର୍ବଜନୀନ ଶୃଙ୍ଖଳା, ନୈତିକତା କିମ୍ବା ଆଇନ ବ୍ୟବସ୍ଥା ଉପରେ ପ୍ରଭାବ ପକାଇବାର ଆଶଙ୍କା ଥାଏ, ତେବେ ପୋଲିସ ଅନୁମତି ନାକଚ କରିପାରିବ। ଏହାଛଡ଼ା, ପରିସ୍ଥିତି ଅନୁଯାୟୀ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୬୩ (ପୂର୍ବରୁ CrPC ଧାରା ୧୪୪) ଲାଗୁ କରି ଚାଲିଥିବା ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ମଧ୍ୟ ବନ୍ଦ କରାଯାଇପାରିବ। ତେବେ ଏଭଳି କ୍ଷେତ୍ରରେ ପୁଲିସ କିମ୍ବା ପ୍ରଶାସନଙ୍କୁ ଅନୁମତି ନାକଚ କିମ୍ବା ପ୍ରତ୍ୟାହାରର ସ୍ପଷ୍ଟ କାରଣ ଦର୍ଶାଇବାକୁ ହୁଏ।

