ବେଙ୍ଗାଲୁରୁରେ ବାୟୁସେନାକୁ ମିଳିଲା ‘ତେଜସ୍’ ଶ୍ରେଣୀର ପ୍ରଥମ ହାଲୁକା ଯୁଦ୍ଧ ବିମାନ, ‘ଏଲିଟ୍‌ କ୍ଲବ’ରେ ସାମିଲ ହେଲା ଭାରତ

Tej

ବେଙ୍ଗାଲୁରୁ: ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍‌ (ହାଲ୍‌) ବୁଧବାର ଭାରତୀୟ ବାୟୁସେନା (ଆଇଏଏଫ୍‌)କୁ ପ୍ରଥମ ହାଲୁକା ଯୁଦ୍ଧ ବିମାନ (ଏଲ୍‌ସିଏ) ଟ୍ଵିିନ୍‌ ସିଟ୍‌ ବିଶିଷ୍ଟ ତେଜସ୍‌ ବିମାନ ହସ୍ତାନ୍ତର କରିଛି। ବେଙ୍ଗାଲୁରୁସ୍ଥିତ ହାଲ୍‌ କମ୍ପାନି କହିଛି ଯେ ଟ୍ଵିନ୍‌ ସିଟ୍‌ ବିଶିଷ୍ଟ ଏହି ଭାରିଏଣ୍ଟ ବାୟୁସେନାର ପ୍ରଶିକ୍ଷଣ ଆବଶ୍ୟକତା ପୂରଣ କରିବାର ସମସ୍ତ କ୍ଷମତା ରହିଛି ଏବଂ ଆବଶ୍ୟକ ସ୍ଥଳେ ମଧ୍ୟ ଲଢ଼ୁଆ ଭୂମିକାରେ ନିଜକୁ ପ୍ରସ୍ତୁତ କରିପାରିବ।

ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ଭି ଆର୍‌ ଚୌଧୁରୀଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏଲ୍‌ସିଏ ଟ୍ଵିନ୍‌ ସିଟ୍‌ର ଉନ୍ମୋଚନ, ରିଲିଜ୍‌ ଟୁ ସର୍ଭିସ୍‌ (ଆର୍‌ଏସ୍‌ଡି), ସିଗନାଲ୍‌ ଆଉଟ୍‌ ସାର୍ଟିଫିକେଟ୍‌ (ଏସ୍‌ଓସି) ପ୍ରଦାନ କରିଥିଲେ।

ଦୁଇ ଆସନ ବିଶିଷ୍ଟ ଏଲସିଏ ତେଜସ ଟ୍ଵିନ୍‌ ସିଟର ଏହି ହାଲୁକା ଓଜନ ବିଶିଷ୍ଟ ବିମାନ ସମସ୍ତ ପାଣିପାଗରେ ଉଡ଼ିପାରିବାର କ୍ଷମତା ରଖୁଥିବା ମଲ୍‌ଟି-ରୋଲ ୪.୫ ଜେନେରେସନ ବିମାନ। ଏହା ସମସାମୟିକ ଆବଶ୍ୟକତା ଏବଂ ବୈଷୟିକ ଜ୍ଞାନକୌଶଳର ମିଶ୍ରଣରେ ନିର୍ମିତ ହୋଇଛି। ଯେପରିକି ଆରାମଦାୟକ, ସ୍ଥିରତା, ଉଡ଼ାଣ ନିୟନ୍ତ୍ରଣ, ଉନ୍ନତ କାଚ କକପିଟ୍‌, ସମନ୍ଵିତ ଡିଜିଟାଲ ଏଭିଓନିକ୍ସ ସିଷ୍ଟମ ଏବଂ ଏୟାରଫ୍ରେମ୍‌ ପାଇଁ ଉନ୍ନତ କମ୍ପୋଜିଟ୍‌ ସାମଗ୍ରୀ ଏଥିରେ ରହିଛି ବୋଲି ହାଲ୍‌ କହିଛି।

ଏହା ଭାରତକୁ ଏପରି ସାମର୍ଥ୍ୟ ସୃଷ୍ଟି କରିଥିବା ଏବଂ ସେମାନଙ୍କ ପ୍ରତିରକ୍ଷା ବାହିନୀରେ କାର୍ଯ୍ୟକ୍ଷମ ଥିବା ଅତ୍ୟନ୍ତ ସମ୍ଭ୍ରାନ୍ତ ଦେଶ ତାଲିକାରେ ସାମିଲ କରିଛି ଏବଂ ଏହା ଭାରତ ସରକାରଙ୍କ ‘ଆତ୍ମନିର୍ଭର ଭାରତ’ ଅଭିଯାନର ଆଉ ଏକ ଅବଦାନ ବୋଲି ଏଥିରେ କୁହାଯାଇଛି।

ହାଲ୍‌ ପାଖରେ ବାୟୁସେନା ପକ୍ଷରୁ ଏହିପରି ୧୮ଟି ବିମାନର ଅର୍ଡର ରହିଛି ଏବଂ ୨୦୨୩-୨୪ରେ ସେଥିମଧ୍ୟରୁ ୮ଟି ପ୍ରଦାନ କରିବାକୁ କମ୍ପାନି ଯୋଜନା କରୁଛି। ଅବଶିଷ୍ଟ ୧୦ଟି ୨୦୨୬-୨୭ ସୁଦ୍ଧା ପ୍ରଦାନ କରାଯିବ।

Share