ନୂଆଦିଲ୍ଲୀ: ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣରେ ୧୨ ସେନା ଜବାନଙ୍କ ସହିତ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ପାକିସ୍ତାନ ଆର୍ମି ତରଫରୁ ବୟାନ ଜାରି କରାଯାଇଛି । ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପାଖ୍ତୁନଖ୍ବା ପ୍ରାନ୍ତରେ ଏକ ସୁରକ୍ଷା ପୋଷ୍ଟ ଉପରେ ଆକ୍ରମଣ ହୋଇଛି । ଗୁରୁବାର ଏବଂ ଶୁକ୍ରବାର ମଧ୍ୟରାତ୍ରିରେ ଇସଲାମିକ୍ ଆତଙ୍କବାଦୀ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ସୁରକ୍ଷା ବାହିନୀର ଚେକ ପୋଷ୍ଟ୍ରେ ପିଟି ଦେବାରୁ ୧୨ ଜଣ ପାକିସ୍ତାନୀ ସୈନ୍ୟଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ୧୨ ଜଣ ସୈନ୍ୟ, ଦୁଇ ପୋଲିସକର୍ମୀ ଏବଂ ବନ ବିଭାଗର ପୂର୍ବତନ ଅଧିକାରୀ ସାମିଲ ରହିଛନ୍ତି ।
ଖବର ମୁତାବକ, ଆଫଗାନିସ୍ତାନ ସୀମା ନିକଟସ୍ଥ ଟାଙ୍କ ଜିଲ୍ଲାରେ ପାକିସ୍ତାନୀ ସେନା ଏବଂ ପୋଲିସ ଦ୍ୱାରା ମିଳିତ ଭାବରେ ପରିଚାଳିତ ଏକ ସୁରକ୍ଷା ଚେକ ପୋଷ୍ଟରେ ଆକ୍ରମଣ ହୋଇଛି । ସେନାର ସୂଚନା ଅନୁଯାୟୀ, ପ୍ରଥମେ ସୁରକ୍ଷାକର୍ମୀମାନେ ଆକ୍ରମଣକାରୀଙ୍କୁ ପ୍ରତିହତ କରି ଚେକପୋଷ୍ଟ୍ ଭିତରକୁ ପଶିବାକୁ ଦେଇନଥିଲେ । ଏଥିରେ ବିଫଳ ହୋଇ ଆତଙ୍କବାଦୀମାନେ ବିସ୍ଫୋରକ ଭର୍ତ୍ତି ଗାଡ଼ିଟିକୁ ଚେକ ପୋଷ୍ଟର ପ୍ରାଚୀର ସହ ଧକ୍କା ଦେଇଥିଲେ । ଫଳରେ ଚେକ୍ ପୋଷ୍ଟକୁ ବହୁତ କ୍ଷତି ପହଞ୍ଚିଥିଲା । କୌଣସି ଗ୍ରୁପ ତୁରନ୍ତ ନିଜକୁ ଦାୟୀ କରିନାହିଁ । କିନ୍ତୁ ଏହି ଅଞ୍ଚଳରେ ଟିଟିପିର ବେଶ୍ ଦବାଦବା ରହିଛି ।
ତେବେ Pakistan suicide blast ଫଳରେ ୧୫ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ୧୨ ଜଣ ସେନାର ଯବାନ ଅଛନ୍ତି । ବିସ୍ଫୋରଣ ପରେ ସେନା ପକ୍ଷରୁ କରାଯାଇଥିବା ଜବାବୀ ଆକ୍ରମଣରେ ୧୨ ଜଣ ଆତଙ୍କବାଦୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହାରି ମଧ୍ୟରେ ପାକିସ୍ତାନ ଆଫଗାନିସ୍ତାନ ସୀମାରେ ପଶି ଆକ୍ରମଣ କରିଛି । ପାକିସ୍ତାନ ଦାବି କରିଛି କି, ଆଫଗାନରେ ପଶି ସେଠାରେ ଥିବା ଆତଙ୍କୀ ଠିକଣାକୁ ଟାର୍ଗେଟ କରିଛି ।

