D16d35b9 df16 4ed3 9f06 846866366437 750x430

ସୁନ୍ଦରଗଡ଼: ଆଜି ଅପରାହ୍ନରେ ସୁନ୍ଦରଗଡ଼ ସଦର ଥାନା ଆଗରେ ଧାରଣାରେ ବସିଛନ୍ତି । ଧାରଣାରେ ଓରାମ ସମାଜର ଶତାଧିକ ମହିଳା ଓ ପୁରୁଷ। ଗତ ଅକ୍ଟୋବର ୨୪ରେ ସଦର ଥାନା କରମଡିହି ଇଲକାପଡ଼ାଠାରେ ଆୟୋଜିତ ଓରାମ ସମାଜର କରମା ପୂଜାସ୍ଥଳରେ ପଶି କିଛି ଯୁବକ ଜାତିସୂଚକ ଅପମାନ ଦେଇ ଗଣ୍ଡଗୋଳ, ମାଡ଼ପିଟ କରିଥିବା ଅଭିଯୋଗ ଉପରେ ପୁଲିସ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଓ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି ରୋକଠୋକ୍ କହିବା ପରେ ତାତିଛନ୍ତି ଆଦିବାସୀ ଓ ସାଂସଦ ଜୁଏଲ। ଅଭିଯୁକ୍ତମାନେ ଗିରଫ ନହେବା ପର୍ଯ୍ଯନ୍ତ ଥାନା ଆଗରୁ ଉଠିବୁ ନାହିଁ ବୋଲି ଘୋଷଣା କରିଛନ୍ତି। ପୁଲିସର ନିଷ୍କ୍ରିୟତାକୁ ନେଇ ଥାନା ଆଗରେ ଚାପା ଉତ୍ତେଜନା ଲାଗି ରହିଛି। ଏହି ଅବସରରେ ସାଂସଦ କହିଛନ୍ତି ସୁନ୍ଦରଗଡ଼ରେ ଆଦିବାସୀ ଅସୁରକ୍ଷିତ। ରାଉରକେଲା ସହକାରୀ ଜିଲ୍ଲାପାଳ ସସ୍ମିତା ମିଞ୍ଜ, ପୁଲିସ ଏଏସଆଇ ଆଲିସା ଲୁଗୁନଙ୍କ ହତ୍ୟା ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏବେ ଓଡ଼ିଶା ସରକାର ଆଦିବାସୀଙ୍କ ଜମି ଅଣ ଆଦିବାସୀଙ୍କୁ ଟେକି ଦେବାକୁ ବସିଛି। ତାହା ଦୁର୍ଭାଗ୍ୟଜନକ, ତାକୁ ଆଦିବାସୀ ବରଦାସ୍ତ କରିବେ ନାହିଁ ବୋଲି କହିଛନ୍ତି ଜୁଏଲ।

ଅଭିଯୋଗ ଅନୁସାରେ, ଗତ ଅକ୍ଟୋବର ୨୪ ତାରିଖରେ କରମଡିହି ଇଲକାପଡ଼ାଠାରେ ଓରାମ ସମାଜର କରମା ପୂଜା ଅନୁଷ୍ଠିତ ହୋଇଥିଲା। ପୂଜା ଶେଷ ହେବା ପରେ ରାତି ସାଢ଼େ ୧୦ଟାରେ ଗାଁର ଯୁକ ବରୁନ ବେହେରା, ଚୂଡ଼ାମଣି ବେହେରା, କାର୍ତ୍ତିକ ସିଂ, ଦେବାଶିଷ ନେଗୀ, ସରୋଜ ରଥ ଆସି ଓରାମ ସମାଜର ଦେବତାଙ୍କ ନାଁରେ ଅଶ୍ଲୀଳ ଆକ୍ଷେପ କରିଥିଲେ। ସଭାପତି ଭାବେ ଶ୍ରୀମତୀ କାୱା ସେମାନଙ୍କୁ ବାରଣ କରିବାରୁ ତାଙ୍କୁ ଗାଳିଗୁଲଜ କରିବା ସହ ଠେଙ୍ଗାରେ ଆକ୍ରମଣ ଉଦ୍ୟମ କରିଥିଲେ। ପରେ ସମାଜର ଅନ୍ୟମାନେ ଘଟଣାସ୍ଥଳକୁ ଚାଲି ଆସିବାରୁ ସେମାନେ ଚାଲି ଯାଇଥିଲେ। କିନ୍ତୁ ୨୫ ତାରିଖ ରାତିରେ ସେମାନେ ସଭାପତି ଲଳିତାଙ୍କ ଘରୁ ପୁଣି ଖଣ୍ଡା, ଠେଙ୍ଗା ଧରି ଆସି ତାଙ୍କୁ ଓ ତାଙ୍କ ଭାଇଙ୍କୁ ଜୀବନରେ ମାରିଦେବାର ଧମକ ଦେଇଥିଲେ। ତେଣୁ ଓରାମ ସମାଜର ଧାର୍ମିକ ଭାବନାକୁ ଆଘାତ ଦେଇ ଗାଳିଗୁଲଜ, ଜୀବନରେ ମାରିଦେବାର ଧମକ ଦେଇଥିବାରୁ ତୁରନ୍ତ ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା। ଏ ନେଇ କରମଡିହି ଓରାମ ସମାଜ ସଭାପତି ଲଳିତା କାୱା ଥାନାରେ ଏତଲା ଦେଇଥିବା ବେଳେ ୨୭ ତାରିଖରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ସମାଜର ମହିଳାମାନେ ଏସପିଙ୍କ ଦ୍ବାରସ୍ଥ ହୋଇଥିଲେ। ଏହାପରେ ପୁଲିସ ମାମଲା ରୁଜୁ କରିଥିଲେ ବି ଅଭିଯୁକ୍ତମାନଙ୍କୁ ଗିରଫ କରୁ ନଥିବାରୁ ତାତିଛନ୍ତି ଓରାମ ଆଦିବାସୀ।

Share