କଟକ : ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପଠାଗଲା ନମୁନା ପ୍ରଶ୍ନପତ୍ର। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨୦୨୪ ଦଶମ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଛି। ଏହି ପ୍ରଶ୍ନପତ୍ର ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ ଏନେଇ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନ ପ୍ରଚଳିତ ପରୀକ୍ଷା ପଦ୍ଧତି ମୁତାବକ ନମୁନା ପ୍ରଶ୍ନପତ୍ର ତିଆରି ହୋଇଛି। ଓଡ଼ିଆ, ଇଂରାଜୀ, ହିନ୍ଦୀ, ସଂସ୍କୃତ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ବିଷୟର ଗୋଟିଏ ଲେଖାଏଁ ସେଟ୍ ନମୁନା ପ୍ରଶ୍ନପତ୍ର ପଠାଯାଇଛି।
ଏପରିକି ବିଦ୍ୟାଳୟ ସ୍ତରରେ କିଭଳି ବିତରଣ ହେବ ସେ ଦିଗରେ ପଦକ୍ଷେପ ନେବେ। ପ୍ରଧାନଶିକ୍ଷକଙ୍କୁ ପ୍ରଶ୍ନପତ୍ର ପଠାଇବା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ନିକଟରେ ପ୍ରଶ୍ନପତ୍ର ପହଞ୍ଚାଇବାକୁ ଡିଇଓ ବ୍ୟବସ୍ଥା କରିବେ। ଜିଲ୍ଲା ସ୍ତରର ଅଭିଜ୍ଞ ଶିକ୍ଷକଙ୍କ ଦ୍ବାରା ପ୍ରଶ୍ନପତ୍ର ପ୍ରସ୍ତୁତ କରି ଡିଜିଟାଲ ପ୍ରଶ୍ନ ପତ୍ର ବ୍ୟାଙ୍କ ପାଇଁ ନିର୍ଦ୍ଦେଶାଳୟକୁ ପଠାଇବାକୁ ମଧ୍ୟ କୁହାଯାଇଛି ।