Asrwe

ଭୁବନେଶ୍ବର: ଦିଲ୍ଲୀରେ ବୃଦ୍ଧି ପାଉଥିବା ପ୍ରଦୂଷଣ ଓ ଚାଷ ଜମିରେ ହ୍ରାସ ପାଉଥିବା ଉର୍ବରତା କୁ ଦୃଷ୍ଟିରେ ରଖି ଓଡିଶାରେ ଯେପରି ଏହି ଅବସ୍ଥା ସୃଷ୍ଟି ନହୁଏ ସେନେଇ ଚାଷ ବିଶେଷଜ୍ଞ ମାନେ ତତ୍ପରତା ଦେଖାଇଛନ୍ତି । ରାଜ୍ୟରେ ଏବେ ଧାନ ଫସଲ କାଟି ଅମଳ କରିବାର ସମୟ ହୋଇଥିବାବେଳେ, ସବୁ ସ୍ଥାନରେ କୃଷକମାନେ ନିଜ ବିଲରେ ଫସଲ ଅମଳରେ ବ୍ୟସ୍ତ ଅଛନ୍ତି । ପୂର୍ବରୁ ଚାଷୀମାନେ ଧାନ ଅମଳ ପରେ ନଡ଼ା ବା ପାଳକୁ ଗୋଖାଦ୍ୟ ଓ ଘର ଛପର କାମରେ ମଧ୍ୟ ବ୍ୟବହାର କରୁଥିଲେ । ମାତ୍ର ବର୍ତ୍ତମାନ ଧାନ ଅମଳ ଯନ୍ତ୍ର ବା ହାର୍ଭେଷ୍ଟର ବ୍ୟବହାର ଫଳରେ ଜମିରେ ରହି ଯାଉଥିବା ଅବଶେଷାଂସ ବ୍ୟବହାର ଯୋଗ୍ୟ ହୋଇପାରୁ ନାହିଁ । ଫଳରେ ଏହି ନଡ଼ାକୁ ଅଦରକାରୀ ମନେ କରି ଚାଷୀ ମେସିନରେ ଧାନ କାଟିବା ପରେ, ବିଲରେ ଥିବା ନଡ଼ା ତଥା ପାଳର ଅଂଶକୁ ବିଲରେ ହିଁ ପୋଡ଼ି ଦେଉଛନ୍ତି । ଏହି କାରଣ ରୁ ମାଟିର ଉର୍ବରତାକୁ କମାଇବା ସହିତ ବାୟୁ ମଣ୍ଡଳକୁ ଅତ୍ୟଧିକ ପ୍ରଦୁଷିତ କରୁଛି । ଯାହାକୁ ଓଡିଶା ଏନସିନଏଫ୍ ପକ୍ଷରୁ ବିରୋଧ କରାଯାଇଛି ।

ମାଟିରେ କୋଟି କୋଟି ସୂକ୍ଷ୍ମ ଜୀବ ରହିଥାଆନ୍ତି । ମାତ୍ର ଏକ ଗ୍ରାମ ଉର୍ବର ମାଟିରେ ପ୍ରାୟ ୩ କୋଟି ଅଣୁଜୀବ ରହିଥାନ୍ତି । ଯାହାକି ୨୦୦୧ ର ଓଡ଼ିଶା ଜନସଂଖ୍ୟା ସହିତ ପ୍ରାୟ ସମାନ । ପାଳ ପୋଡ଼ିବା ଦ୍ୱାରା ମାଟିରେ ଥିବା ଏହି କୋଟି କୋଟି ସୁକ୍ଷ୍ମ ଜୀବ ମରିଯାଇଥାନ୍ତି ଓ ଆମର ମାଟି ଅନୁର୍ବର ହୋଇଯାଏ । ଚାଷ ବିଲରେ ପଡ଼ୁଥିବା ରାସାୟନିକ ସାର ତଥା କୀଟନାଶକ ଏବଂ ଜମି ପୋଡ଼ା ହେଉଥିବା ଅଭ୍ୟାସ ମାଟିକୁ ସମ୍ପୂର୍ଣ୍ଣ ଅନୂର୍ବର କରିବା ସହିତ ମାଟିକୁ ଟାଣ କରିଥାଏ । ଏହା ଫଳରେ ମାଟି ଉତ୍ତମ ଫସଲ ଦେବାପାଇଁ ଅନୁପଯୋଗୀ ହୋଇଯାଏ ।

ଏହା ବ୍ୟତୀତ ଏଥିରୁ ନିର୍ଗତ ଧୂଆଁ ଗାଁ ତଥା ସହରକୁ ପ୍ରଦୁଷିତ କରିବା ସହିତ ଅନେକ ଦୁରାରୋଗ୍ୟ ଯଥା କ୍ୟାନସର, ଯକ୍ଷ୍ମା ତଥା ଅନେକ ଶ୍ୱାସ ପ୍ରଶ୍ବାସ ରୋଗ ସୃଷ୍ଟି କରିଥାଏ । ତେଣୁ ବିଲରେ ଶସ୍ୟ ଅମଳ ପରେ ନଡ଼ାକୁ ପୋଡିବା ପରିବର୍ତ୍ତେ ମାଟିରେ ଛାଡ଼ିଦବାକୁ ଏନସିଏନଏଫ ଓଡ଼ିଶା ପକ୍ଷରୁ ନିବେଦନ କରାଯାଉଛି । ଏହି ପାଳ ମାଟିକୁ ଉର୍ବର କରିବା ସହିତ ଉତ୍ପାଦନ ବଢ଼େଇବାରେ ସହାୟକ ହେବ ବୋଲି ପ୍ରାକୃତିକ ଚାଷ ବିଶେଷଜ୍ଞ ତଥା ପଦ୍ମଶ୍ରୀ ଡଃ. ସାବରମତୀ, ପ୍ରାକୃତିକ ଚାଷ ବିଶେଷଜ୍ଞ ଏକାଦଶୀ ନନ୍ଦୀ, ଡଃ. ନନ୍ଦ କିଶୋର ମହାକୁଡ, ଦୋଳଗୋବିନ୍ଦ ପଣ୍ଡା, ଅରୁଣିମା ସ୍ୱାଇଁ, ସେଲଭିନ ଭିମା ରାଓ, ଗୋବିନ୍ଦ ଦଳାଇ, ସୁରେଶ ବିଷୋୟୀ, ରମେଶ ସ୍ୱାଇଁ, ପ୍ରଭାକର ଅଧିକାରୀ, ମାନସ ରଞ୍ଜନ ସାହୁ, ଡଃ. ମହମ୍ମଦ ଇମ୍ରାନ ଅଲୀ ତଥା ଅନ୍ୟ ମନେ ନିବେଦନ କରିଛନ୍ତି ।

ଏହି ନଡ଼ାକୁ ଚାଷ ଜମିରେ ପରବର୍ତ୍ତୀ ଫସଲରେ ମାଟିକୁ ଆଚ୍ଛାଦନ କରିବା କିମ୍ବା ଘୋଡେ଼ଇବା ପାଇଁ ଚାଷୀ ଭାଇ ଭଉଣୀମାନେ ବ୍ୟବହାର କରିପାରିବେ । ଏହା ଦ୍ବାରା ମାଟିରେ ଥିବା ଲକ୍ଷାଧିକ ଉପକାରୀ ସୂକ୍ଷ୍ମ ଜୀବ ଆଉ ଜିଆ ଭଲ କାମ କରିବେ ଏବଂ ପରେ ପରେ ଏହି ନଡ଼ା ପଚି ସଢି ଯାଇ ମାଟିରେ ଖତ ହୋଇ ମିଶିଯିବ ଓ ମାଟିର ଉର୍ବରତା ବଢ଼ାଇବ । ବର୍ତ୍ତମାନ ସ୍ଥିତିରେ ଆମେ ଦିଲ୍ଲୀର ଅବସ୍ଥା ଠାରୁ ଉଚିତ୍ ଶିକ୍ଷା ଗ୍ରହଣ କରିବା ଉଚିତ୍ ବୋଲି ସଂଗଠନ ତରଫରୁ କୁହାଯାଇଛି ।

Share