8a452c05 707c 47f9 950c 47f36d67b016 e1702111708905 750x430

ସୁନ୍ଦରଗଡ଼: ସୁନ୍ଦରଗଡ଼ର ମଦ ବ୍ୟବସାୟୀ ରାଜକିଶୋର ଜୟସ୍ୱାଲଙ୍କ ଘରେ ଆଜି ଚତୁର୍ଥ ଦିନରେ ଆୟକର ବିଭାଗ ଚଢାଉ କରିଛି। ୨ ଦିନ ତଳେ ଟଙ୍କା ଭର୍ତ୍ତି ଟ୍ରଙ୍କ ଓ ଗୁଡାଏ ଦସ୍ତାବିଜ୍ ଜବତ କରିଥିବା ଆୟକର ଟିମ୍ ଆଜି ପୁଣି ଘରେ ପହଞ୍ଚି ତଲାସି ଚଲାଇଛି। ଝାଡ଼ଖଣ୍ଡ ସାଂସଦ ଧୀରଜ ସାହୁଙ୍କ ଲିଙ୍କରେ ରାଜକିଶୋର ଥିବାରୁ କଳା କାରବାର ପୂରା ଚିଠା ଆୟକର ଟିମ୍ ଖୋଜୁଥିବା ଚର୍ଚ୍ଚା ହେଉଛି। ସୁନ୍ଦରଗଡ଼ ଓ ପଡ଼ୋଶୀ ରାଜ୍ୟ ଝାରଖଣ୍ଡ, ଛତିଶଗଡ଼ର କିଛି ଜିଲ୍ଲାର ମଦ ବାଦଶାହା କୁହାଯାଉଥିବା ମଦ ବ୍ୟବସାୟୀ ରାଜକିଶୋର ଜୟସ୍ୱାଲଙ୍କ ଘରେ ଗତ ୬ ତାରିଖ ସକାଳୁ ଆୟକର ବିଭାଗ ଚଢ଼ାଉ ଆରମ୍ଭ କରିଥିଲା। ୨ଟି ଧଳା ରଙ୍ଗର ଇନୋଭାରେ ୭ ଜଣ ଅଧିକାରୀ ସିଆରପିଏଫ ଯବାନଙ୍କ ସହ ଆସି ପହଞ୍ଚିଥିଲେ ଶ୍ରୀ ଜୟସ୍ବାଲଙ୍କ ରାଣୀବଗିଚାସ୍ଥ ବାସଭବନରେ। ପ୍ରଥମେ ସେମା‌ନେ ରାଜକିଶୋର ଓ ତାଙ୍କ ଭାଇ ଦେଓକରଣ ଜୟସ୍ବାଲଙ୍କ ସହ ପରିବାରର ସମସ୍ତଙ୍କ ମୋବାଇଲ୍‌ ସୁଇଚଅଫ୍‌ କରି ଦେଇଥିଲେ। ଏହା ପରେ ଚଢ଼ାଉ ଆରମ୍ଭ କରିଥିଲେ। ଶ୍ରୀ ଜୟସ୍ବାଲଙ୍କ ସର୍ଗିପାଲି ସହ ବିଭିନ୍ନ ସ୍ଥାନରେ ଥିବା ୧୦ରୁ ଅଧିକ ଦେଶୀ ମଦଭାଟି, ଠିପିବନ୍ଦ ବିଦେଶୀ ମଦ ଦୋକାନ, ବସ ସର୍ଭିସ ଅଫିସ, କିରେଇ ନିକଟ ଆମ୍ବିଆନ୍ସ ବାର୍‌ ଆଣ୍ଡ ହୋଟେଲ, ରାଣୀବଗିଚାସ୍ଥ ବାସଭବନ ଓ ଅଫିସରେ ଏକକାଳୀନ ଚଢ଼ାଉ କରିଥିଲେ। ୬ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ଖାନ୍‌ ତଲାସି ଜାରି ରହିଥିଲା। ରାତିରେ କେବଳ ପରିବାର ଲୋକଙ୍କ ଶୋଇବା କୋଠରୀ ବ୍ୟତୀତ ଅନ୍ୟ ସବୁ କୋଠରୀରେ ତାଲା ମାରି ବିଶ୍ରାମ ନେଇଥିଲେ ଅଧିକାରୀ। ଗୁରୁବାର ସକାଳ ୯ଟାରୁ ପୁଣି ଆରମ୍ଭ ହୋଇଥିଲା ଯାଞ୍ଚ। ଗୋଟି ଗୋଟି କରି ସମସ୍ତ କାରବାରର ବିଲ୍‌ ଭାଉଚର ଯାଞ୍ଚ କରିଥିଲେ ଅଧିକାରୀ।
ଗୁରୁବାର ମଧ୍ୟାହ୍ନରେ ତାଙ୍କ ଘରୁ ଟଙ୍କା ଭର୍ତ୍ତି ୨ଟି ବଡ଼ ଟ୍ରଙ୍କ ଜବତ ‌ହୋଇଥିବା ସୂଚନା ମିଳିଛି। ଆୟକର ବିଭାଗର କିଛି ଅଧିକାରୀ ପୁଲିସ ସୁରକ୍ଷା ମଧ୍ୟରେ ଟ୍ରଙ୍କକୁ ନେଇ ଏସବିଆଇ ଶାଖାରେ ଟଙ୍କା ଗଣତି କରୁଥିବା ବେଳେ ଅନ୍ୟ ଏକ ଟିମ୍‌ ବେପାରୀ ଜୟସ୍ବାଲଙ୍କ ଘର ସଂଲଗ୍ନ ଅଫିସରେ ବିଲ୍‌ ଭାଉଚର ତନ୍ନ ତନ୍ନ କରି ଯାଞ୍ଚ ଚଲାଇଛି। ଟ୍ରଙ୍କରେ ୧ କୋଟି ୨୬ ଲକ୍ଷ ଥିଲା ବୋଲି ଚର୍ଚ୍ଚା ହେଉଥିବା ବେଳେ ପ୍ରକୃତରେ କେତେ ଟଙ୍କା ଥିଲା, କେତେ ଟଙ୍କାର ଟିକସ୍‌ ଫାଙ୍କି ହୋଇଛି ସେ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳି ନାହିଁ। ଆୟକର ବିଭାଗର ଅଧିକାରୀମାନେ ଗଣମାଧ୍ୟମ ସାମ୍ନାକୁ ନଆସି ଗୋପନରେ ଯାଞ୍ଚ ଚଲାଇଛନ୍ତି। ୪ ଦିନ ପରେ ବି ଚଢ଼ାଉ ସରି ନଥିବାରୁ ଆଗକୁ ବଡ଼ ଧରଣର ଟିକସ୍‌ ଫାଙ୍କି ସାମ୍ନାକୁ ଆସିବ ବୋଲି ଚର୍ଚ୍ଚା ହେଉଛି। ଭୁବନେଶ୍ବର ଓ ବାହାର ରାଜ୍ୟର ଟିମ୍‌ ଚଢ଼ାଉରେ ସାମିଲ ହୋଇଛନ୍ତି।

Share