ଶ୍ରୀନଗର: ପୁଣି ଯବାନମାନଙ୍କୁ ଟାର୍ଗେଟ କଲେ ଆତଙ୍କବାଦୀ। ଆଜି ଯବାନମାନଙ୍କୁ ନେଇ ଯାଉଥିବା ଏକ ଆର୍ମି ଟ୍ରକ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଜଣାପଡ଼ିଛି। ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ଥିବା ଡେରା କି ଗଲି(ଡିକେଜି)ରେ ଏହି ଘଟଣା ଘଟିଛି। ଏହି ଆକ୍ରମଣରେ ୩ଜଣ ଯବାନ ସହିଦ୍ ହୋଇଥିବା ଜଣାପଡ଼ିଛି। ଆଗକୁ ଏହି ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ମାସେ ମଧ୍ୟରେ ଯବାନମାନଙ୍କ ଉପରେ ଏହା ହେଉଛି ଦ୍ବିତୀୟ ଆକ୍ରମଣ।
ରିପୋର୍ଟରେ କୁହାଯାଇଛି ଯେ, ଅପରାହ୍ନ ୩.୪୫ରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଯେଉଁଠାରେ ଆକ୍ରମଣ ଘଟିଛି ସେହି ସ୍ଥାନକୁ ଅତିରିକ୍ତ ସୁରକ୍ଷା ବଳ ପଠାଯାଇଛି। ଆକ୍ରମଣ ପରେ ଏବେ ବି ଗୁଳି ବିନିମୟ ଚାଲିଥିବା ଜଣାଯାଇଛି।
ଗତ ମାସରେ ଭାରତୀୟ ସେନା ରଜୌରୀର କାଲାକୋଟେରେ ଆତଙ୍କବାଦ ବିରୋଧୀ ଅପରେସନ ଆରମ୍ଭ କରିବା ପରେ ଦୁଇ କ୍ୟାପଟେନଙ୍କ ସମେତ ଅନ୍ୟ ଯବାନମାନେ ସହିଦ୍ ହୋଇଥିଲେ। ଚଳିତ ବର୍ଷ ଏପ୍ରିଲ ଏବଂ ମେ’ ମାସରେ ରଜୌରୀ-ପୁଞ୍ଚ ଅଞ୍ଚଳରେ ହୋଇଥିବା ଆକ୍ରମଣରେ ୧୦ଜଣ ଯବାନ ସହିଦ ହୋଇଥିଲେ। ୨୦୦୩ରୁ ୨୦୨୧ମଧ୍ୟରେ ଏହି ଅଞ୍ଚଳ ଆତଙ୍କବାଦରୁ ମୁକ୍ତ ଥିଲା। ହେଲେ ଏହା ପରେ ଏଠାରେ ବାରମ୍ବାର ଏନକାଉଣ୍ଟର ଆରମ୍ଭ ହୋଇଥିଲା।