Siddar

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ତାଙ୍କ କ୍ୟାବିନେଟ୍‌ ମନ୍ତ୍ରୀମାନେ ବିଳାସମୟ ଘରୋଇ ବିମାନରେ ସହାୟତା ମାଗିବାକୁ ଯାଇ ‘ବିଜେପି’ଦ୍ବାରା ସମାଲୋଚିତ ହୋଇଛନ୍ତି।

ବିମାନରେ ସିଦ୍ଦରମୈୟାଙ୍କ ସହିତ ଯାତ୍ରା କରୁଥିବା କର୍ଣ୍ଣାଟକ କଂଗ୍ରେସ ମନ୍ତ୍ରୀ ବି. ଜେଡ୍‌, ଜମୀର୍‌ ଅହମଦ୍‌ ଖାଁ ନିଜେ ବିମାନଯାତ୍ରାକାଳୀନ ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିବା ପରେ ସେମାନେ ସମାଲୋଚିତ ହୋଇଛନ୍ତି। ଫଟୋ ଉଠାଇବା ପାଇଁ କ୍ୟାବିନେଟ୍‌ ମନ୍ତ୍ରୀମାନେ ବିମାନର ବିଭିନ୍ନ ସ୍ଥାନରେ ଠିଆ ହୋଇ ‘ପୋଜ୍‌’ ଦେଉଥିବା ଦୃଶ୍ୟ ବି ଉକ୍ତ ଭିଡିଓରେ ଦେଖାଯାଉଛି।

ସେଥିରେ ପୁଣି ଜମୀର ଅହମଦ୍‌ ଲେଖିଛନ୍ତି, ଆମର ହର୍ଷୋତ୍‌ଫୁଲ୍ଲିତ ନେତା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ସହିତ ଦିଲ୍ଲୀରୁ ବେଙ୍ଗାଲୁରୁ ଯାତ୍ରାକାଳୀନ ସୁଖଦ ସମୟ।

ଟିକସଦାତାଙ୍କ ଅର୍ଥରେ କଂଗ୍ରେସ ନେତାମାନେ ମଉଜ କରୁଛନ୍ତି ବୋଲି ବିରୋଧୀ ‘ବିଜେପି’ ଅଭିଯୋଗ କରିଛି। ‘ଏକ୍ସ’ ପୋଷ୍ଟ୍‌ରେ ‘ବିଜେପି’ ମୁଖ୍ୟ ବିଜୟେନ୍ଦ୍ର ୟେଦିୟୁରପ୍ପା ଲେଖିଛନ୍ତି, ଆମ ଦୁର୍ଗତି ପ୍ରତି କି ନିଷ୍ଠୁର ପରିହାସ। ସମଗ୍ର କର୍ଣ୍ଣାଟକରେ ଭୀଷଣ ମରୁଡ଼ି ପଡ଼ିଥିବା ଏବଂ ବର୍ଷା ବିନା ଫସଲ ନଷ୍ଟ ହୋଇଯିବାରୁ କୃଷକମାନ‌େ ଭୀଷଣ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଥିବା ବ‌େଳେ ସିଦ୍ଦରମୈୟା ଓ ତାଙ୍କ କ୍ୟାବିନେଟ୍‌ ମନ୍ତ୍ରୀମାନେ ସୌଖୀନ ବିମାନରେ ଯାତ୍ରା କରୁଛନ୍ତି। ଏହାଛଡ଼ା, ରାଜ୍ୟ ସରକାରଙ୍କଦ୍ବାରା ରାଜ୍ୟରେ କୌଣସି ବିକାଶମୂଳକ କାର୍ଯ୍ୟ ମଧ୍ୟ ହୋଇନାହିଁ।

ଉଲ୍ଲେଖଯୋଗ୍ୟ, ରାଜ୍ୟ ପାଇଁ ମରୁଡି ସହାୟତା ବା ରିଲିଫ୍‌ ବାବଦକୁ ୧୮,୧୭୭.୪୪ କୋଟି ଟଙ୍କା ମଞ୍ଜୁର କରିବା ଲାଗି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସିଦ୍ଦରମୈୟା ଅନୁରୋଧ କରିବାର ୨ ଦିନ ପରେ ଉକ୍ତ ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରାଯାଇଛି।

Share