Bb6af31d 67f6 458c 89d6 f470cf26a85f 750x430

କେନ୍ଦୁଝର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୫ ତାରିଖରୁ ବିକଶିତ ଭାରତର ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି ତାହା ହେଉଛି ବିକାଶର ଏକ କ୍ରାନ୍ତି । ବିପୁଳ ଜନଭାଗିଦାରୀ ସହ ଏହି ଯାତ୍ରା ଦେଶବ୍ୟାପୀ ଆଗେଇ ଚାଲିଛି। ଏହା ଦେଶକୁ ବିକାଶ ପଥରେ ଆଗକୁ ନେବାରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା।
କେନ୍ଦୁଝର ଜିଲ୍ଲାର ରଙ୍ଗମାଟିଆ ଠାରେ ଆୟୋଜିତ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୫ ତାରିଖରେ ଭଗବାନ ବିର୍ସାମୁଣ୍ଡାଙ୍କ ଜନ୍ମମାଟିକୁ ଆସି ବିକଶିତ ଭାରତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଭଗବାନ ବିର୍ସାମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି। ଜଙ୍ଗଲ ଭିତରେ ରହି ଦେଶକୁ ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିବା ଏହି ଆଦିବାସୀ ନେତାଙ୍କ ଲାଗି ଏହା ହେଉଛି ସର୍ବଶ୍ରେଷ୍ଠ ସମ୍ମାନ । ମୁଁ ସେହି ମାଟିର ପ୍ରତିନିଧି ଭାବେ ନିଜକୁ ଗୌରବାନ୍ୱିତ ମନେ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ମୁଣ୍ଡା କହିଛନ୍ତି।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବିର୍ସାମୁଣ୍ଡାଙ୍କ ମାଟିରୁ ମଧ୍ୟ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ୍‍ ଜନମନ) ଭଳି ଯୋଜନାର ଶୁଭାରମ୍ଭ ହୋଇଛି। ଓଡ଼ିଶାରେ ଜୁଆଙ୍ଗ, ପାଉଡି ଭୂୟାଁ, ବଣ୍ଡାଙ୍କ ସମେତ ଅନେକ ଆଦିବାସୀ ସମ୍ପ୍ରଦାୟ ବସବାସ କରୁଛନ୍ତି ଯେଉଁମାନେ କି ଏବେ ବି ମୁଖ୍ୟସ୍ରୋତରୁ ପଛରେ ପଡିଛନ୍ତି। ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆରମ୍ଭ ହୋଇଛି ପିଏମ ଜନମନ ଯୋଜନା । ଏଥିରେ ୨୪,୦୦୦ କୋଟି ଟଙ୍କା ବ୍ୟୟ ହେବ, ଯାହାକି ଜନଜାତି ସମ୍ପ୍ରଦାୟର ସାମଗ୍ରୀକ ବିକାଶରେ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଭାରତ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ସମବେତ ଜନତାଙ୍କୁ ବିକଶିତ ଭାରତ ଶପଥ ପାଠ କରାଇଥିଲେ।

Share