21b68ec8 c616 4dd9 b09a f1d461da4239 750x430

ପୁରୀ: ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ନିମନ୍ତ୍ରଣ ପତ୍ର ଦେବାକୁ ୩୦ ପ୍ରତିନିଧି ଦଳ ବାହାରିଛନ୍ତି। ରାଜ୍ୟ ଭିତରେ କାର୍ଡ ବାଣ୍ଟିବା ପାଇଁ ୧୩ଟି ଦଳ ଓ ରାଜ୍ୟ ବାହାରକୁ ନିମନ୍ତ୍ରଣ କାର୍ଡ ବାଣ୍ଟିବା ୧୭ଟି ଦଳ, ଏଭଳି ୩୦ଟି ଦଳ ଗଠନ କରାଯାଇଛି। ଆଜି ପବିତ୍ର ମାର୍ଗଶିର ପୂର୍ଣ୍ଣିମାରେ ଶୁଭାରମ୍ଭ ହୋଇଛି ପରିକ୍ରମା ନିମନ୍ତ୍ରଣ। ଦେଶର ବିଭିନ୍ନ ଦେବପୀଠ ଓ ଧର୍ମଗୁରୁମାନଙ୍କୁ ନିମନ୍ତ୍ରଣ କରାଯିବ।

ସକାଳ ୮ଟାରେ ଶ୍ରୀମନ୍ଦିର ନିକଟରୁ ନିମନ୍ତ୍ରଣ ବାର୍ତ୍ତା ନେଇ ବାହାରିଛନ୍ତି ୩୦ଟି ସ୍ବତନ୍ତ୍ର ଦଳ। ଏମାନେ ପ୍ରଥମେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ପହଞ୍ଚିବେ। ଦେବାଧିଦେବ ଏକାମ୍ର ପୀଠାଧୀଶ୍ବର ପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିବେ। ଏହାପରେ ଦିନ ୧୦ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରି  ଲିଙ୍ଗରାଜ ମନ୍ଦିର ପରିସରକୁ ଫେରିବେ।

ରାଜ୍ୟ ଭିତରେ ପ୍ରଥମ ଦଳ ଚିଲିକା, ଖଲ୍ଲିକୋଟ, କୋଦଳା ଅଞ୍ଚଳକୁ ଯାତ୍ରା କରିବ। ଦ୍ବିତୀୟ ଟିମ୍ ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା, ତୃତୀୟ ଦଳ ଭୁବନେଶ୍ବର, କଟକ, ଯାଜପୁର, ଭଦ୍ରକ, ଚତୁର୍ଥ ଦଳ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ପଞ୍ଚମ ଦଳ ଢେ଼ଙ୍କାନାଳ, ଅନୁଗୁଳ, ଦେବଗଡ଼, ଷଷ୍ଠ ଦଳ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସପ୍ତମ ଦଳ କନ୍ଧମାଳ, ବୌଦ୍ଧ, ସୋନପୁର ଯାତ୍ରା କରିବ ବୋଲି ଜଣାଯାଇଛି।

ଏଣେ ଅଷ୍ଟମ ଦଳ ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ନବମ ଦଳ ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ଦଶମ ଦଳ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଏକାଦଶ ଦଳ ଗଞ୍ଜାମ, ଗଜପତି, ରାୟଗଡ଼ା, ଦ୍ବାଦଶ ଦଳ ଦାରୁକ୍ଷେତ୍ର ପୁରୀ, କାକଟପୁର, ଖୋର୍ଦ୍ଧା, ଜଗତସିଂହପୁର, ସାଲେପୁର ଓ ୧୩ତମ ଦଳ ଦାରୁକ୍ଷେତ୍ର ଦଧିମାଛଗଡ଼ିଆ, ଅସ୍ତରଙ୍ଗ, ନିଆଳି, ରାୟଚକ୍ରଧରପୁର ଓ ଡେଲାଙ୍ଗରେ ବିଭିନ୍ନ ଦେବାଦେବୀ ପୀଠ, ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ କରିବେ।

Share