Falcon

ନୂଆଦିଲ୍ଲୀ: ‘ଜିଏସ୍‌ଏଟି-୨୦’ ନାମକ ଓଜନିଆ ଯୋଗାଯୋଗ ସାଟେଲାଇଟ୍‌ ଉତ୍‌କ୍ଷେପଣ କରିବା ଲାଗି ପ୍ରଥମ ଥର ପାଇଁ ‘ଇସ୍ରୋ’ ‘ସ୍ପେସ୍‌ଏକ୍ସ୍‌’ର ରକେଟ୍‌ ବ୍ୟବହାର କରିବ ବୋଲି ବୁଧବାର ଦିନ ‘ନିୟୁସ୍ପେସ୍‌ ଇଣ୍ଡିଆ ଲିମିଟେଡ୍‌’ କହିଛି।
ଚଳିତ ବର୍ଷ ମଧ୍ୟ ଭାଗ ବେଳକୁ ଘରୋଇ ମହାକାଶ ଏଜେନ୍‌ସି ‘ସ୍ପେସ୍‌ଏକ୍ସ୍‌’ର ‘ଫାଲ୍‌କନ୍‌-୯’ ରକେଟ୍‌ରେ ଉପରୋକ୍ତ ଯୋଗାଯୋଗ ଉପଗ୍ରହ ମହାକାଶକୁ ପ୍ରେରଣ କରାଯିବ।
ଟେଲିକମ୍‌ ବ୍ୟବହାରକାରୀଙ୍କୁ ଅତ୍ୟନ୍ତ ଦ୍ରୁତ ଇଣ୍ଟର୍‌ନେଟ୍‌ ସେବା ଯୋଗାଇବାକୁ ସମର୍ଥ ‘ଜିଏସ୍‌ଏଟି-୨୦’ର ଓଜନ ପ୍ରାୟ ୪,୭୦୦ ପାଉଣ୍ଡ୍‌। ଏହା ‘ଇସ୍ରୋ’ର ସବୁଠୁ ଶକ୍ତିଶାଳୀ ରକେଟ୍‌ ‘ଏଲ୍‌ଭିଏମ୍‌-୩’ର ଉତ୍‌କ୍ଷେପଣ କ୍ଷମତାଠାରୁ ଯଥେଷ୍ଟ ଭାରୀ। ୪୦୦୦ କିଲୋଗ୍ରାମ୍‌ରୁ ଅଧିକ ଓଜନିଆ ସାଟେଲାଇଟ୍‌ ବା କୃତ୍ରିମ ଉପଗ୍ରହ ଉତ୍‌କ୍ଷେପଣ ନିମନ୍ତେ ଭାରତ ୟୁରୋପୀୟ ଉତ୍‌କ୍ଷେପଣକାରୀ ସେବା ‘ଏରିଅନ୍‌ସ୍ପେସ୍‌’ ଉପରେ ନିର୍ଭର କରି ଆସୁଛି। କିନ୍ତୁ, ‘ଏରିଅନ୍‌ସ୍ପେସ୍‌’ର ଭାରୀ ସାଟେଲାଇଟ୍‌ ଉତ୍‌କ୍ଷେପଣକାରୀ ରକେଟ୍‌ ‘ଏରିଅନ୍‌-୫’ ଗତବର୍ଷ ଜୁଲାଇ ମାସରେ ଅବସର ଗ୍ରହଣ କରିଛି ଏବଂ ତା’ ସ୍ଥାନରେ ‘ଏରିଅନ୍‌-୬’ ଏପର୍ଯ୍ୟନ୍ତ ପ୍ରସ୍ତୁତି କରାଯାଇ ନାହିଁ।

Share