ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଗୋରଖପୁରରେ ବଢ଼ୁଥିବା ଚୋରି ସଂଖ୍ୟାକୁ ଦୃଷ୍ଟିରେ ରଖି, ପୋଲିସ ଏକ ନୂତନ ବ୍ୟବସ୍ଥା ଆରମ୍ଭ କରିଛି । ଗତ କିଛି ଦିନ ମଧ୍ୟରେ ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଚୋରମାନେ ଦୀର୍ଘ ସମୟ ଧରି ଖାଲି ପଡ଼ିଥିବା ଘରକୁ ଟାର୍ଗେଟ କରିଛନ୍ତି । ଏହି ଘଟଣାକୁ ଗମ୍ଭୀରତାର ସହ ନେଇ, ଗୋରଖପୁର ପୋଲିସ ଏବେ ଖାଲି ଘରଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ପୋଲିସର କହିବା ଅନୁଯାୟୀ, ଏହି ପଦ୍ଧତି ଅଞ୍ଚଳରେ ଲୁଟ ପାତକୁ ଯଥେଷ୍ଟ ହ୍ରାସ କରିବ ।
ନୂତନ ବ୍ୟବସ୍ଥା ଅନୁଯାୟୀ, ଯଦି କୌଣସି ପରିବାର ଛୁଟିଦିନ, ବିବାହ କିମ୍ବା ଅନ୍ୟ କୌଣସି କାରଣରୁ କିଛି ଦିନ ପାଇଁ ଘରୁ ବାହାରକୁ ଯାଉଛନ୍ତି, ତେବେ ସେମାନେ ସେମାନଙ୍କର ସମ୍ପୃକ୍ତ ପୋଲିସ ଷ୍ଟେସନ, କିମ୍ବା ବିଟ୍ କନଷ୍ଟେବଳଙ୍କୁ ସୂଚନା ଦେଇପାରିବେ । ସୂଚନା ପାଇବା ପରେ, ପୋଲିସ ଏପରି ଘରଗୁଡ଼ିକୁ ଏକ ସ୍ୱତନ୍ତ୍ର ୱାଚ୍ ଲିଷ୍ଟରେ ଯୋଡିବ ଏବଂ ପାଟ୍ରୋଲିଂ ସମୟରେ ସେମାନଙ୍କ ଉପରେ ନଜର ରଖିବ । ଏହି ପଦକ୍ଷେପର ଲକ୍ଷ୍ୟ ଚୋରି ରୋକିବା ଏବଂ ବାସିନ୍ଦାଙ୍କୁ ସୁରକ୍ଷା ଭାବନା ପ୍ରଦାନ କରିବା ।
ପୋଲିସର ସୂଚନା ଅନୁଯାୟୀ, ସାଧାରଣତଃ ଖାଲି ପଡି଼ଥିବା ଘରକୁ ଚୋର ଟାର୍ଗେଟ୍ କରିଥାନ୍ତି । ଦୀର୍ଘ ସମୟ ଧରି ରେକି କରିବା ପରେ ସୁଯୋଗ ଦେଖି ସୁନା, ରୂପା ଗହଣା, ମୂଲ୍ୟବାନ ଜିନିଷ ଉଠାଇ ନେଇଥାନ୍ତି । ବିଗତ କିଛି ଦିନ ମଧ୍ୟରେ ସହରରେ ଘଟିଥିବା ଅନେକ ଚୋରି ଘଟଣାର ଯାଞ୍ଚରୁ ଏହି ପାଟର୍ନ ସାମ୍ନାକୁ ଆସିଛି । ସେହି ସମସ୍ୟାକୁ ଗମ୍ଭୀରତାର ସହ ଗ୍ରହଣ କରାଯାଇ ସମାଧାନ ଲାଗି ଜୁନ୍ ୧୬ରୁ ଏହି ଅଭିନବ ଅଭିଯାନ ଆରମ୍ଭ କରାଯାଇଛି । ଏଥିଲାଗି ପୋଲିସ ଟିମ୍ ସହରର ବିଭିନ୍ନ ଅଞ୍ଚଳରେ ଅଟୋ ଏବଂ ଇ-ରିକ୍ସାରେ ବୁଲି ବୁଲି ଲାଉଡସ୍ପିକର ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛି ।
ଏହାଛଡ଼ା ଥାନାର ହ୍ୱାଟସଆପ୍ ଗ୍ରୁପ ଏବଂ ଅନ୍ୟ ଡିଜିଟାଲ ମାଧ୍ୟମ ଦ୍ୱାରା ଘର ଛାଡି଼ବା ପୂର୍ବରୁ ଥାନାକୁ ସେଥିନେଇ ସୂଚନା ଦେବାକୁ ଲୋକଙ୍କୁ ନିବେଦନ କରାଯାଉଛି । ଯଦି କେହି ପରିବାର ସହ କିଛି ଦିନ ଲାଗି ବାହାରକୁ ଯାଆନ୍ତି ତେବେ ସୂଚନା ପାଇବା ପରେ ତାଙ୍କ ଘର ନିକଟରେ ପୁଲିସ ପାଟ୍ରୋଲିଂକୁ ବଢ଼ାଇ ଦିଆଯିବ । ପାଟ୍ରୋଲିଂ ଟିମ୍ ନିୟମିତ ଭାବେ ସେହି ଘର ଉପରେ ନଜର ରଖିବେ । ଏହାଦ୍ୱାରା କୌଣସି ସନ୍ଦିଗ୍ଧ ଗତିବିଧି ନଜର ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ସେ କହିଛନ୍ତି ।

