କୋଲକତା : ପଶ୍ଚିମବଙ୍ଗରେ ଶୁଭେନ୍ଦୁ ସରକାର ଆଜି ବିଧାନସଭାରେ ନିଜର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ, ସରକାରଙ୍କ ମୂଳ ଲକ୍ଷ୍ୟ ହେଉଛି ‘ବିକଶିତ ଭାରତ ଏବଂ ବିକଶିତ ବଙ୍ଗଳା’ । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ସ୍ୱପନ ଦାସଗୁପ୍ତା ଏହି ବଜେଟ୍ ଉପସ୍ଥାପନ କରିଛନ୍ତି । ରାଜ୍ୟର ଆର୍ଥିକ ବିକାଶ ଓ ଜନକଲ୍ୟାଣକୁ ଦୃଷ୍ଟିରେ ରଖି ଏହି ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ରାଜ୍ୟ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତାରେ ୨୦%ର ବୃଦ୍ଧି କରାଯାଇଛି । ଏକ ଲକ୍ଷ ଯୁବକଙ୍କୁ ଚାକିରି ସୁଯୋଗ ଏବଂ ୩୩ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ମିଳିବ ।
କୋଲକତାରେ ପୂର୍ବରୁ କର୍ମଚାରୀମାନଙ୍କୁ ୧୮% ଡିଏ ମିଳୁଥିବା ବେଳେ ଏହି ବୃଦ୍ଧି ପରେ ବର୍ତ୍ତମାନ ମୋଟ ଡିଏ ହାର ୩୮ ପ୍ରତିଶତରେ ପହଞ୍ଚିଛି । ଅର୍ଥମନ୍ତ୍ରୀଙ୍କ ଅନୁଯାୟୀ, ଏହି ନୂତନ ନିଷ୍ପତ୍ତି ୧ ଏପ୍ରିଲ ୨୦୨୬ ଠାରୁ ଲାଗୁ ହେବ, ଯାହା ଦ୍ୱାରା ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ ।
ରାଜ୍ୟରେ ବେକାରୀ ସମସ୍ୟାର ସମାଧାନ ପାଇଁ ସରକାର ୧ ଲକ୍ଷ ନୂତନ ସରକାରୀ ଚାକିରି ଯୋଗାଇଦେବାକୁ ଘୋଷଣା କରିଛନ୍ତି । ଏହି ନିଯୁକ୍ତି ପ୍ରକ୍ରିୟାରେ ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦିଆଯାଇ ୩୩% ପଦବୀ ମହିଳାମାନଙ୍କ ପାଇଁ ସଂରକ୍ଷିତ ରଖାଯିବ ବୋଲି ବଜେଟରେ କୁହାଯାଇଛି ।
ମହିଳାମାନଙ୍କ ଯାତାୟାତକୁ ସହଜ କରିବା ପାଇଁ ସରକାରୀ ବସରେ ମାଗଣା ଯାତ୍ରା ସୁବିଧା ଯୋଗାଇ ଦିଆଯିବ । ରାଜ୍ୟ ପରିବହନ ନିଗମର ବସ୍ କଣ୍ଡକ୍ଟରଙ୍କ ପାରିଶ୍ରମିକ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଏଥିପାଇଁ ୫୫୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏହି ସୁବିଧା ଦେବା ପାଇଁ ସରକାର ପିଙ୍କ କାର୍ଡ ଜାରି କରିଛନ୍ତି ।
ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଏବଂ ଜରୁରୀକାଳୀନ ପରିସ୍ଥିତିର ତୁରନ୍ତ ମୁକାବିଲା ପାଇଁ ଏକ ସମନ୍ୱିତ ହେଲ୍ପଲାଇନ ସେବା ‘ଡାଏଲ ୧୧୨’ ଆରମ୍ଭ କରାଯିବ ।
ସାମ୍ବାଦିକଙ୍କ ପାଇଁ ମାସକୁ ୫୦୦୦ ଟଙ୍କା ପେନସନ୍ ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ଦ୍ବାରା ଲକ୍ଷ ଲକ୍ଷ କର୍ମଚାରୀ, ପେନସନଭୋଗୀ ଲାଭ ଉଠାଇପାରିବେ ।

