ସିଓଲ୍: ଆଜି ସକାଳେ ଉତ୍ତର କୋରିଆ ୨୦୦ରୁ ଅଧିକ ତୋପ ବୋମା (ଆର୍ଟିଲରି ସେଲ୍) ନିକ୍ଷେପ କରିବାରୁ ୟେଓନ୍ପିୟେଓଙ୍ଗ୍ ଦ୍ବୀପରୁ ଜନସ୍ଥାନାନ୍ତରଣ ପାଇଁ ଦକ୍ଷିଣ କୋରିଆ ନିର୍ଦେଶ ଦେଇଥିବା କଥା ‘ୟୋନ୍ହାପ୍’ ନିଉଜ୍ ଏଜେନ୍ସି ରିପୋର୍ଟ କରିଛି।
ଆଜି ସକାଳେ ଦକ୍ଷିଣ କୋରିଆ ସେନା ରିପୋର୍ଟ କରିଥିଲା ଯେ, ଉତ୍ତର କୋରିଆ ୨୦୦ରୁ ଅଧିକ ତୋପ ବୋମା ନିକ୍ଷେପ କରିଛି। କିନ୍ତୁ, ଏହାଦ୍ବାରା ଦକ୍ଷିଣ କୋରିଆରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଏହି ବୋମା ସବୁ ଦୁଇ କୋରିଆ ମଧ୍ୟରେ ଥିବା ସାମୁଦ୍ରିକ ସୀମା ଅନ୍ତର୍ଗତ ‘ନର୍ଦନ୍ ଲିମିଟ୍ ଲାଇନ୍’ ମଧ୍ୟରେ ପଡ଼ିଛି।
ରିପୋର୍ଟ କରି ସାରିବା ପରେ ଦକ୍ଷିଣ କୋରିଆ ସେନା ଉତ୍ତର କୋରିଆ ସୀମାନ୍ତ ନିକଟ ୟେଓନ୍ପିୟେଓଙ୍ଗ୍ ଦ୍ବୀପାଞ୍ଚଳରେ ସମରାଭ୍ୟାସ କରିବ ବୋଲି ଜନସ୍ଥାନାନ୍ତରଣ ନିମନ୍ତେ ନୋଟିସ ଜାରି କରିଛି।
ସମ୍ବାଦ ସରବରାହ ସଂସ୍ଥାନ ‘ଏପି’କୁ ଦକ୍ଷିଣ କୋରିଆର ଜଏଣ୍ଟ୍ ଚିଫ୍ସ୍ ଷ୍ଟାଫ୍ କହିଛନ୍ତି ଯେ, ଉତ୍ତର କୋରିଆ ବିବାଦୀୟ ପଶ୍ଚିମ ସମୁଦ୍ର ସୀମା ଅନ୍ତର୍ଗତ ଜଳରାଶିକୁ ପ୍ରାୟ ୨୦୦ ରାଉଣ୍ଡ୍ ଆର୍ଟିଲରି ସେଲ୍ ନିକ୍ଷେପ କରିଛି। ଏହା ୨୦୧୮ ସେନା ରାଜିନାମାର ଉଲ୍ଲଂଘନ। ଏହାଦ୍ବାର କୌଣସି କ୍ଷତି ହୋଇ ନ ଥିଲେବି, ଦକ୍ଷିଣ କୋରିଆ ଏହାକୁ ଉତ୍ତର କୋରିଆର ଅକାରଣରେ ଉତ୍କ୍ଷିପ୍ତ କରିବା ନିମନ୍ତେ ସମରାଭ୍ୟାସ ବୋଲି କହିଛି।
ୟେଓନ୍ପିୟେଓଙ୍ଗ୍ ଗ୍ରାମର ଜଣେ ସରକାରୀ ଅଧିକାରୀ ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’କୁ କହିଛନ୍ତି ଯେ, ଦକ୍ଷିଣ କୋରିଆ ସେନାର ଅନୁରୋଧକ୍ରମେ ଜନସ୍ଥାନାନ୍ତରଣ ନିମନ୍ତେ ଆଦେଶ ଦିଆଯାଇଛି।
ଦକ୍ଷିଣ କୋରିଆର ଜଏଣ୍ଟ୍ ଚିଫ୍ସ୍ ଅଫ୍ ଷ୍ଟାଫ୍ଙ୍କ ତରଫରୁ ଜଣେ ମୁଖପାତ୍ର କହିଛନ୍ତି, ଏଭଳି କାର୍ଯ୍ୟ (ବୋମାବର୍ଷଣ) କୋରୀୟ ଉପଦ୍ବୀପରେ ଉତ୍ତେଜନା ବୃଦ୍ଧି ଓ ଶାନ୍ତି ପ୍ରତି ବିପଦ ସୃଷ୍ଟି କରିବା ନିମନ୍ତେ ଅକାରଣରେ କରାଯାଉଛି।