Noida

ନୂଆଦିଲ୍ଲୀ : ଦିଲ୍ଲୀ ନୋଏଡ଼ାରେ ଭୟାବହ ଦୁର୍ଘଟଣା । ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ଲୋକେ ରାସ୍ତାରେ ଯାଉଥିବା ସମୟରେ ତାଙ୍କ ଉପରେ ହଠାତ୍ ଛିଡ଼ି ପଡ଼ିଲା ୧୧ କେଭି ତାର । ଏହି ଅଘଟଣରେ ୫ ଜଣ ଗୁରୁତର ଭାବେ ଆହତ ହୋଇ ପୋଡ଼ିଯାଇଛନ୍ତି । କରେଣ୍ଟ ଆଘାତରେ ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ଆହତ ବ୍ୟକ୍ତିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି ।

ତେବେ ନୋଏଡାର ଛିଜାରାସି ଗାଁରେ ସେକ୍ଟର-୬୩ ଏହି ଦୁର୍ଘଟଣା ଥାନା ଅଞ୍ଚଳରେ ଘଟିଛି । ଏହି ଘଟଣାରେ ଏକ ସ୍କୁଟି ମଧ୍ୟ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଲୋକମାନେ ରାସ୍ତାରେ ଯାଉଥିବା ବେଳେ ହଠାତ୍ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ୍ ତାର ଛିଣ୍ଡି ତଳକୁ ଖସିପଡ଼ିଥିଲା। ଏହାଫଳରେ ବିଦ୍ୟୁତ୍ କରେଣ୍ଟ ବ୍ୟାପିଯାଇ ଘଟଣାସ୍ଥଳରେ ଆତଙ୍କ ସୃଷ୍ଟି କରିଥିଲା। ସ୍ଥାନୀୟ ଲୋକମାନେ ଆହତମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା ସହ ପୋଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏନେଇ ସ୍ଥାନୀୟ ବାସିନ୍ଦାମାନେ ବିଦ୍ୟୁତ୍ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି । ସେମାନଙ୍କ ଅଭିଯୋଗ କରିଛନ୍ତି କି ଅଞ୍ଚଳର ବିଦ୍ୟୁତ୍ ତାରଗୁଡ଼ିକର ନିୟମିତ ଯାଞ୍ଚ ଓ ରକ୍ଷଣାବେକ୍ଷଣ କରାଯାଉନାହିଁ । ଠିକ୍ ଭାବେ ମରାମତି ଏବଂ ବୃଦ୍ଧିପାଉଥିବା ବିଦ୍ୟୁତ୍ ଚାହିଦା ଅନୁଯାୟୀ ବ୍ୟବସ୍ଥା କରାଯାଉ ନାହିଁ ଯାହା ଫଳରେ ଏହି ଦୁର୍ଘଟଣା ବାରମ୍ବାର ଘଟୁଛି । ପୂର୍ବରୁ ମଧ୍ୟ ଏପରି ଅସୁବିଧାର ସମ୍ମୁଖୀନ ହୋଇଥିବା ଲୋକେ  କହିଛନ୍ତି ।

ତେବେ ସଠିକ୍ ଭାବେ ବିଦ୍ୟୁତର ଯାଞ୍ଚ କରାଯାଇ ଉପଯୁକ୍ତ ପଦକ୍ଷେପ ନିଆଗଲେ ଏପରି ଦୁର୍ଘଟଣାକୁ ଏଡ଼ାଯାଇପାରିବ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Share