Police

ନୂଆଦିଲ୍ଳୀ: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ବୁଧବାର ଘଟିଥିଲା ଦୁଇଟି ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣରେ ୩ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ ୩୪ ଜଣ ଆହତ ମଧ୍ୟ ହୋଇଛନ୍ତି । ଅଧିକାରୀମାନଙ୍କ କହିବାନୁସାରେ, ଗୋଟିଏ ଆକ୍ରମଣ ଲୋଅର ଦିର ଜିଲ୍ଲାରେ ପୁଲିସ କାଫିଲାକୁ ଲକ୍ଷ୍ୟ କରି ହୋଇଥିବାବେଳେ, ଅନ୍ୟଟି ବାନ୍ନୁ ଜିଲ୍ଲାର ମିରିୟାନ ପୁଲିସ ଷ୍ଟେସନକୁ ଟାର୍ଗେଟ କରି କରାଯାଇଥିଲା । ଉଭୟ ଘଟଣା ପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।

ପ୍ରଥମ ଘଟଣା ଲୋଅର ଦିର ଜିଲ୍ଲାରେ ଘଟିଥିଲା । ସେଠାରେ ଆତଙ୍କବାଦୀମାନେ ପୁଲିସର ଏକ କାଫିଲା ଉପରେ ହ୍ୟାଣ୍ଡ ଗ୍ରେନେଡ୍ ଓ ଅଟୋମେଟିକ୍ ଅସ୍ତ୍ରରେ ଆକ୍ରମଣ କରିଥିଲେ । ପୁଲିସ ସୂଚନା ଅନୁଯାୟୀ, ହାଇଦର ଅଞ୍ଚଳର ଲାଦମ ଟପ୍ ନିକଟରେ କାଫିଲା ଯାଉଥିବା ବେଳେ ଏହି ଆକ୍ରମଣ ଘଟିଥିଲା । ପ୍ରଥମେ ଆତଙ୍କବାଦୀମାନେ ହ୍ୟାଣ୍ଡ ଗ୍ରେନେଡ୍ ଫିଙ୍ଗିଥିଲେ, ପରେ ଭୟଙ୍କର ଗୁଳିବର୍ଷା ଆରମ୍ଭ କରିଥିଲେ ।

ଏହି ଆକ୍ରମଣରେ ୩ ଜଣ ପୁଲିସ କର୍ମଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ୧୯ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଆକ୍ରମଣକାରୀମାନେ ପୁଲିସର ଦୁଇଟି ଗାଡ଼ିରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ । ଆହତମାନଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିବାବେଳେ ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି । ପରିସ୍ଥିତି ସମ୍ପୂର୍ଣ୍ଣ ସ୍ପଷ୍ଟ ହେବା ପରେ ଅଧିକ ସୂଚନା ଜାରି କରାଯିବ ବୋଲି ପୁଲିସ କହିଛି । ବର୍ତ୍ତମାନ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ଆକ୍ରମଣକାରୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଚଳାଇଛି ।

ଦ୍ୱିତୀୟ ଘଟଣା ବାନ୍ନୁ ଜିଲ୍ଲାର ମିରିୟାନ ପୁଲିସ ଷ୍ଟେସନରେ ଘଟିଥିଲା । ସେଠାରେ ସୁରକ୍ଷା ବାହିନୀ ସମୟୋଚିତ ପଦକ୍ଷେପ ନେଇ ଏକ ବଡ଼ ଆତ୍ମଘାତୀ ଆକ୍ରମଣକୁ ବିଫଳ କରିଦେଇଥିଲା । ଅଧିକାରୀମାନଙ୍କ ଅନୁସାରେ, ଆତଙ୍କବାଦୀମାନେ ବିସ୍ଫୋରକ ଭର୍ତ୍ତି ଏକ ଗାଡ଼ିକୁ ପୁଲିସ ଷ୍ଟେସନରେ ଧକ୍କା ଦେବାକୁ ଚେଷ୍ଟା କରୁଥିଲେ ।

ରିପୋର୍ଟ ଅନୁସାରେ, ଏହି ଆକ୍ରମଣରେ ୧୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଆହତ ପୁଲିସ କର୍ମଚାରୀମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ପେଶାୱରକୁ ପଠାଯାଇଛି । ସୂଚନାଯୋଗ୍ୟ, ଚଳିତ ବର୍ଷ ଏପ୍ରିଲରେ ମଧ୍ୟ ବାନ୍ନୁର ଡୋମେଲ ପୁଲିସ ଷ୍ଟେସନ ଉପରେ ଏକ ଆତ୍ମଘାତୀ କାର ବୋମା ଆକ୍ରମଣ ହୋଇଥିଲା । ସେହି ଆକ୍ରମଣରେ ଅତି କମରେ ୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ ଜଣ ଆହତ ହୋଇଥିଲେ । ଆହତମାନଙ୍କ ମଧ୍ୟରେ ଜଣେ ପୁଲିସ କର୍ମଚାରୀ ମଧ୍ୟ ଥିଲେ ।

Share