3e4e6bc2 f00a 48fb b1ce 7cbd168583ea 750x430

ଭୁବନେଶ୍ବର: ସର୍ବସାଧାରଣଙ୍କ ପରିଦର୍ଶନ ଲାଗି ଶନିବାରଠାରୁ ରାଜଭବନ ଉଦ୍ୟାନ ଖୋଲିଥିବା ବେଳେ ଚଳିତ ମାସ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ବୁଲିପାରିବେ ସାଧାରଣ ଜନତା। ଆସନ୍ତାକାଲି (ରବିବାର) ଠାରୁ ଲୋକସେବା ଭବନ ଉଦ୍ୟାନ ସାଧାରଣ ଜନତାଙ୍କ ପାଇଁ ଖୋଲା ରହିବ। ସର୍ବସାଧାରଣଙ୍କ ନିମନ୍ତେ ଚଳିତ ଜାନୁଆରି ମାସର ରବିବାର ସମେତ ଅନ୍ୟ ସମସ୍ତ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ଖୋଲା ରହିବ। ଜନସାଧାରଣ ଏହି ଦିନମାନଙ୍କରେ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ଲୋକସେବା ଭବନକୁ ଆସି ଉଦ୍ୟାନ ପରିଦର୍ଶନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଏହାରି ମଧ୍ୟରେ ସର୍ବସାଧାରଣଙ୍କ ପାଇଁ ଆଜି ଠାରୁ ରାଜଭବନ ଉଦ୍ୟାନ ଖୋଲାଯାଇଛି। ପ୍ରଥମ ଦିନରେ ଆଜି ପ୍ରାୟ ୨୫୦୦ ଲୋକ ରାଜଭବନ ଉଦ୍ୟାନ ବୁଲିଥିବା ସୂଚନା ମିଳିଛି। ଏହି ଉଦ୍ୟାନ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଲୋକେ ରାଜଭବନ ଉଦ୍ୟାନରେ ବୁଲି ବିଭିନ୍ନ ରକମର ଫୁଲ ଦେଖିବାର ଭରପୁର ଆନନ୍ଦ ଉଠାଇପାରିବେ। ଦର୍ଶକମାନେ ବିନା କୌଣସି ପ୍ରବେଶ ଶୁଳ୍କରେ ରାଜଭବନ ଉଦ୍ୟାନ ପରିଭ୍ରମଣ କରିପାରିବେ।
ରାଜଭବନ ଉଦ୍ୟାନ ବୁଲିବା ପାଇଁ କେବଳ ମୋବାଇଲ୍ ଆପ୍ ପଞ୍ଜୀକରଣ ମାଧ୍ୟମରେ ପ୍ରବେଶ ଅନୁମତି ଦିଆଯିବ। ଏଥି ପାଇଁ ଦର୍ଶକଙ୍କୁ ଗୁଗଲ ପ୍ଲେ ଷ୍ଟୋରରୁ Rajbhaban garden vist apps ଡାଉନ୍‌ଲୋଡ କରିବାକୁ ପଡ଼ିବ। ଗୋଟିଏ ମୋବାଇଲ ନମ୍ବରରେ ସର୍ବାଧିକ ୮ ଜଣଙ୍କର ନାମ (୪ ଜଣ ବୟସ୍କ ଓ ଅନ୍ୟ ୪ ଜଣଙ୍କର ବୟସ ୧ରୁ ୧୮ ବର୍ଷ) ପଂଜୀକରଣ କରାଯାଇପାରିବ। ଛୁଟି ଦିନ ସହ ରବିବାର ମଧ୍ୟ ରାଜଭବନ ଉଦ୍ୟାନ ଖୋଲା ରହିବ। ଏଥିଲାଗି ଅପରାହ୍ନ ୨ଟା ୩୦ରୁ ୫ଟା ପର୍ଯ୍ୟନ୍ତ ସମୟ ରହିଛି। ଭ୍ରମଣ ସମୟରେ ବନ୍ଧୁକ, ଅସ୍ତ୍ରଶସ୍ତ୍ର, କ୍ୟାମେରା, ଖାଇବା ସମାଗ୍ରୀ ଆଦି ଜିନିଷ ନେବାକୁ ବାରଣ ରହିଛି।
ଆସନ୍ତା ୧୩ ତାରିଖ ଠାରୁ ଏକାମ୍ର କାନନରେ ଦୁଇ ଦିନିଆ ବାର୍ଷିକ ଫୁଲ ପ୍ରଦର୍ଶନୀ ଆୟୋଜିତ ହେବ। ଏହି ପ୍ରଦର୍ଶନୀରେ ଦର୍ଶକମାନେ ଭଳିକି ଭଳି ଫୁଲ ଦେଖିବାକୁ ସୁଯୋଗ ପାଇପାରିବେ। ୨୦୦୬ ମସିହାରୁ ପ୍ରତିବର୍ଷ ଏକାମ୍ର କାନନ ପରିସରରେ ଆରପିଆରସି ରାଜ୍ୟସ୍ତରୀୟ ବାର୍ଷିକ ଫୁଲ ପ୍ରଦର୍ଶନୀ ଆୟୋଜନ କରିଆସୁଛି।

Share