ନୂଆଦିଲ୍ଲୀ : ଦିଲ୍ଲୀର ଶାହଦରା ରେଲୱେ ଷ୍ଟେସନରେ ଟ୍ରେନରେ ସିଟ୍ ବିବାଦକୁ ନେଇ ଜଣେ ଯାତ୍ରୀଙ୍କ ଜୀବନ ଚାଲିଯାଇଛି । ପ୍ଲାଟଫର୍ମ ନମ୍ବର-୩ରେ ଯୋଗା ଏକ୍ସପ୍ରେସର ଜେନେରାଲ ବଗିରେ ଚଢିବାକୁ ନେଇ ଜଣେ ବ୍ୟକ୍ତିଙ୍କୁ କିଛି ସହ ଯାତ୍ରୀ ପ୍ରବଳ ପିଟିଥିଲେ । ପିଟିବା ପରେ ପୀଡ଼ିତ ଯୁବକଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ଶାହଦରା ରେଲୱେ ଷ୍ଟେସନରେ ପ୍ଲାଟଫର୍ମ ନଂ ୩ରେ ସକାଳ ୬ଟାରେ ଘଟିଛି ।
ଖବର ମୁତାବକ, ହରିଦ୍ବାର ଯାଉଥିବା ଯୋଗା ଏକ୍ସପ୍ରେସ ପ୍ଲାଟଫର୍ମ ନଂ ୩ରେ ପହଞ୍ଚିବା ପରେ ଜେନେରାଲ ଡବାରେ ଯାତ୍ରୀ ଚଢିବା ପାଇଁ ଭିଡ଼ ଲଗାଇଥିଲେ । ଏହି ସମୟରେ ଉତ୍ତରପ୍ରଦେଶ ବାଗପତର ପଙ୍କଜ ଧାମାଙ୍କ ସହିତ ଅନ୍ୟ କିଛି ଯାତ୍ରୀଙ୍କର ଯୁକ୍ତିତର୍କ ହୋଇଥିଲା । ଦେଖୁ ଦେଖୁ ଯୁକ୍ତିତର୍କ ହିଂସାର ରୂପ ନେଇଥିଲା । ରାଗରେ ସହଯାତ୍ରୀମାନେ ପଙ୍କଜଙ୍କ ଉପରେ ଆକ୍ରମଣ କରିଥିଲେ । ଯୁବକଙ୍କୁ ତଳେ ପକାଇ ଗୋଇଠା ଏବଂ ମୁଥ ମାରିବାକୁ ଲାଗିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।
ଭାଇରଲ ହେଉଥିବା ଭିଡିଓରେ ଯୁବକଙ୍କୁ ମାଡ଼ ମରାଯିବା ବେଳେ ଆରପିଏଫ କନଷ୍ଟେବଳ ଭିଡ଼ ଭିତରୁ ରକ୍ଷା କରିଥିଲେ । କିନ୍ତୁ ପଙ୍କଜ ତଳେ ପଡ଼ିଯିବା ପରେ ସୁରକ୍ଷାକର୍ମୀ ତାଙ୍କୁ ସେଠାରେ ଛାଡ଼ି ଚାଲିଯାଇଥିଲେ । ଆଉ ଏହାପରେ ପଙ୍କଜଙ୍କୁ ଏଭଳି ଅବସ୍ଥାରେ ଦେଖି ଜଣେ ଦାୟିତ୍ବବାନ ବ୍ୟକ୍ତି ହସପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ପଙ୍କଜଙ୍କ ଜୀବନ ଚାଲିଯାଇଥିଲା ।
ଘଟଣା ବିଷୟରେ ଖବର ପାଇଁ ପୁରୁଣା ଦିଲ୍ଲୀ ରେଲୱେ ପୋଲିସ ଷ୍ଟେସନ ଟିମ୍ ପହଞ୍ଚିଥିଲା । ପ୍ରାରମ୍ଭିକ ଚିକିତ୍ସା ରିପୋର୍ଟରୁ ଜଣାପଡିଛି ଯେ, ମାରପିଟ୍ ବେଳେ ପଙ୍କଜଙ୍କ ଶରୀରରେ ଆଭ୍ୟନ୍ତରୀଣ ଆଘାତ ତାଙ୍କ ମୃତ୍ୟୁର କାରଣ ପାଲଟିଛି । ପୋଲିସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ କରି ବିଏନଏସ ଅଧିନରେ କେସ୍ ଫାଇଲ କରିଛି । ଏହାସହିତ ରେଲୱେ ଷ୍ଟେସନରେ ଲାଗିଥିବା ସିସିଟିଭି ଫୁଟେଜ ଏବଂ ଭାଇରଲ ଭିଡିଓ ଆଧାରରେ ମାରପିଟ କରିଥିବା ଆକ୍ରମଣକାରୀଙ୍କୁ ଖୋଜୁଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ।

