Winter sunrise fog smog cold wave e1671353907193

ଭୁବନେଶ୍ବର : ମାଘ ମାସରେ ବାଘ ଭଳି ଶୀତ ହେବା କଥା। କିନ୍ତୁ ଶୀତର କୌଣସି ଦେଖା ଦର୍ଶନ ନାହିଁ। ମାଘ ମାସରେ ଗ୍ରୀଷ୍ମ ପରି ଟାଣ ଖରା ହେଉଛି। ରାତିର ତାପମାତ୍ରା ମଧ୍ୟ ସ୍ୱାଭାବିକ ଠାରୁ ଅଧିକ ରହୁଛି।
ଆଗକୁ ବି ରାତିର ତାପମାତ୍ରା ଆହୁରି ବଢ଼ିବ। ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୨ ଡିଗ୍ରୀ ଅଧିକ ରହିବ ବୋଲି ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
କେନ୍ଦ୍ର କହିଛି ଯେ ଗୁରୁଚାପ ବଳୟର ସକ୍ରିୟତା ବୃଦ୍ଧି ପ୍ରଭାବରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗର ଅଞ୍ଚଳରୁ କ୍ରମାଗତ ଭାବେ ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ମ ବାୟୁ ପ୍ରବେଶ କରୁଛି। ଏଥିପାଇଁ ଆଗାମୀ ୨ ଦିନରେ ରାତିର ତାପମାତ୍ରାରେ ଆହୁରି ୨ ଡିଗ୍ରୀ ଯାଏ ବୃଦ୍ଧି ପାରଇବାର ସମ୍ଭାବନା ରହିଛି। ତାପମାତ୍ରା ବୃଦ୍ଧି ଯୋଗୁ ଆଗାମୀ ୬ରୁ ୭ ଦିନ ଯାଏ ଶୀତର କୌଣସି ସମ୍ଭାବନା ନଥିବା କେନ୍ଦ୍ର କହିଛି।
କେନ୍ଦ୍ର ପକ୍ଷରୁ ଆହୁରି କୁହାଯାଇଛି ଯେ ରାତିର ତାପମାତ୍ରା ଅଧିକ ରହୁଥିଲେ ହେଁ ଭୋର ସମୟରେ ପ୍ରବଳ ଘନ କୁହୁଡ଼ି ଅନୁଭୂତ ହେଉଛି। ଘନ କୁହୁଡ଼ି ସମୟରେ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ୫୦ ମିଟର ମଧ୍ୟରେ ସୀମିତ ରହୁଥିବାରୁ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଯାନବାହାନ ଗୁଡିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ତେଣୁ ଯାତାୟାତ ସମୟରେ ଅଧିକ ସତର୍କତା ଅବଲମ୍ବନ କରିବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଓଡିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ଗୁରୁଚାପ ବଳୟର ସକ୍ରିୟତା ବୃଦ୍ଧି ପାଇଛି। ଏହାର ପ୍ରଭାବରେ ଆଗାମୀ ୨ ଦିନ ଉପକୂଳ ଓଡିଶା ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡିକରେ ମଧ୍ୟ ରାତିରୁ ସକାଳ ମଧ୍ୟରେ ଘନ କୁହୁଡ଼ିର ସମ୍ଭାବନା ରହିଛି।
ଆସନ୍ତାକାଲି ସକାଳ ୮.୩୦ ଯାଏ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ସୋନପୁର, ବୌଦ୍ଧ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼ ଓ ଝାରସୁଗୁଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ଦେଖାଯାଇ ପାରେ। ଏଥିପାଇଁ ପାଣିପାଗ କେନ୍ଦ୍ର ଏସବୁ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ସେହିପରି ୧୯ ତାରିଖ ସକାଳ ୮.୩୦ରୁ ୨୦ ତାରିଖ ସକାଳ ୮.୩୦ ଯାଏ କଟକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ସୋନପୁର, ବୌଦ୍ଧ, ପୁରୀ, ଗଞ୍ଜାମ, କଳାହାଣ୍ଡି, ରାୟଗଡ଼ା, ଗଜପତି, ବଲାଙ୍ଗିର ଓ ସମ୍ବଲପୁରର ଗୋଟିଏ ଦୁଇ ସ୍ଥାନରେ ଘନ କୁହୁଡ଼ି ଦେଖାଯିବ। ଏଥିପାଇଁ ଏସବୁ ଜିଲ୍ଲାଗୁଡ଼ିକ ପାଇଁ ମଧ୍ୟ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Share