Accident

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏକ ଟ୍ରକ୍ ଏବଂ ଯାତ୍ରୀବାହୀ ଗାଡ଼ି ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ସୂଚନାନୁଯାୟୀ, ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାରେ ରାଜରପ୍ପା ଥାନା ଅଞ୍ଚଳରେ ଲାରି ର ରାମଗଡ଼-ବୋକାରୋ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ସମୟରେ ଗାଡ଼ିରେ ତାଶା ପାର୍ଟିର ୮ ଜଣ ସଦସ୍ୟ ଯାତ୍ରା କରୁଥିଲେ । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ରାମଗଡ଼ ସଦର ହସ୍ପିଟାଲକୁ ନିଆଯାଇଥିଲା ଏବଂ ସେଠାରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ଏଥିସହ ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ସଂରକ୍ଷିତ ରଖାଯାଇଛି ।

ଅନ୍ୟପଟେ ଟ୍ରକଟି ଭୁଲ୍ ପାର୍ଶ୍ବରେ ଯାଇ ଯାତ୍ରୀବାହୀ ଗାଡ଼ିକୁ ଧକ୍କା ଦେଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ରାମଗଡ଼ ସବ-ଡିଭିଜନାଲ୍ ପୋଲିସ ଅଧିକାରୀ ଆଲୋକ ରଞ୍ଜନ କହିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା ଦୁର୍ଘଟଣାର ସଠିକ୍ କାରଣ ଜଣାପଡିନାହିଁ ଏବଂ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Share