ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ରତଲାମ ଜିଲ୍ଲାରେ ଗୁରୁବାର ରାତିରେ ମହରମ ଶୋଭାଯାତ୍ରାରେ ବଡ଼ ଅଘଟଣ । ଶୋଭାଯାତ୍ରାରେ ଯାଉଥିବା ବେଳେ ଉଚ୍ଚ ବିଦ୍ୟୁତ ସଂପନ୍ନ ତାର ବାଜିବା ଯୋଗୁଁ ଚାରିଆଡେ କରେଣ୍ଟ ହୋଇଯାଇଥିଲା । ଫଳରେ ଶୋଭାଯାତ୍ରାରେ ଥିବା ଲୋକଙ୍କ ମଧ୍ୟରେ ୩ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୦ରୁ ଅଧିକ ପୋଡ଼ି ଯାଇଥିଲେ । ଏଥିରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତଙ୍କୁ ରତଲାମ ମେଡିକାଲ କଲେଜ ସହିତ ଅନ୍ୟ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଖବର ମୁତାବକ, ପିପଲୋଦା ଥାନା ଅର୍ନ୍ତଗତ ହତନାରା ଗାଁରେ ହେଉଥିବା ମହରମ ଶୋଭାଯାତ୍ରାରେ ୨୦୦ରୁ ଅଧିକ ଲୋକ ସାମିଲ ହୋଇଥିଲେ । ଏହି ସମୟରେ ୨୦ ଫୁଟ ଉଚ୍ଚରେ ଥିବା ଉଚ୍ଚ ବିଦ୍ୟୁତ ସଂପନ୍ନ ତାର ତାଜିଆରେ ବାଜିଥିଲା । ଯେଉଁମାନେ ତାଜିଆ ଧରିଥିଲେ, ସେମାନେ କରେଣ୍ଟ ସଂସ୍ପର୍ଶରେ ଆସିଥିଲେ । ଏହାପରେ ଶୋଭାଯାତ୍ରାରେ ଆତଙ୍କ ଖେଳିଯାଇଥିଲା ।
ଘଟଣା ପରେ ଉପସ୍ଥିତ ଲୋକ ଏବଂ ଗ୍ରାମବାସୀ ଉଦ୍ଧାରକାର୍ଯ୍ୟ କରିଥିଲେ । କରେଣ୍ଟ ଏବଂ ଦଳାଚକଟା ଯୋଗୁଁ ଅନେକ ଲୋକ ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ମେଡିକାଲ କଲେଜରେ ଭତ୍ତିର୍ କରାଯାଇଛି । ଏଠାରେ ଆହତଙ୍କ ଚିକିତ୍ସା ଜାରି ରହିଛି । ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ପ୍ରଶାସନ ଟିମ୍ ପହଞ୍ଚିଛି । ଘଟଣାର ଯାଞ୍ଚ କରାଯାଉଛି । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଲୋକମାନେ ବିଦ୍ୟୁତ ବିଭାଗର ଅବହେଳା ପାଇଁ ଲୋକଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ କରୁଛନ୍ତି । ଏହି ଗାଁରେ ଥିବା ବିଦ୍ୟୁତ ତାର ବହୁତ ତଳେ ରହିଥିବା ପୂର୍ବରୁ ଅଭିଯୋଗ ହୋଇଥିଲା । କିନ୍ତୁ ବିଭାଗ କୌଣସି ଦୃଷ୍ଟି ଦେଇନଥିଲା, ଆଉ ଆଜି ଏଭଳି ଘଟଣା ଘଟିଗଲା ।

