Dengue

ଭୁବନେଶ୍ବର: ରାଜଧାନୀରେ ଉପରମୁହାଁ ଡେଙ୍ଗୁ ସଂକ୍ରମଣ । ବର୍ଷାଦିନ କାରଣରୁ ମଶାମାନଙ୍କର ଉପଦ୍ରବ ବଢିବାରେ ଲାଗିଛି । ଏହାର ପ୍ରଭାବରେ ଏବେ ରାଜଧାନୀ ଭୁବନେଶ୍ବରରେ ଡେଙ୍ଗୁ ୨୦୦ ପାର୍ କରିଛି । ତେବେ ଗତ ଜୁଲାଇ ୧୬ ସୁଦ୍ଧା ଏହା ୧୧୫ରେ ପହଞ୍ଚିଥିବା ବେଳେ ଏବେ ଏହାର ସଂଖ୍ୟା ଗତ ୨୭ ସୁଦ୍ଧା ୨୧୧ରେ ପହଞ୍ଚିଛି । ତେବେ ଧିରେ ଧିରେ ଏହାର ସଂଖ୍ୟା ବୃଦ୍ଧି ହେବା ଚିନ୍ତାର କାରଣ ପାଳଟିଛି ।

ତେବେ ମିଳିଥିବା ତଥ୍ୟ ଅନୁଯାୟୀ, ଜୁଲାଇ ମାସରେ ୧୬୦ଜଣ ସଂକ୍ରମିତ ସହରରୁ ବାହାରିଥିବା ବେଳେ ଗତ ୧୧ଦିନରେ ୯୬ ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜାଗମରା, ସାଲିଆସାହି, ପଟିଆ ଆଦି ସ୍ଥାନରୁ ବେଶି ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖଣ୍ଡଗିରି ଏହାର ହଟ୍‌ସ୍ପଟ୍‌ ପାଲଟିଛି। ଏଠାରୁ ସର୍ବାଧିକ ୨୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ମାସକ ଭିତରେ ଏହି ଅଞ୍ଚଳରୁ ଦୈନିକ ଡେଙ୍ଗୁରୋଗୀ ବାହାରୁଥିବା ଜଣାପଡିଛି ସ୍ବାସ୍ଥ୍ୟ କର୍ମଚାରୀ ସୂଚନା ଦେଇଛନ୍ତି । ଜାନୁଆରୀରୁ ଜୁଲାଇ ୨୭ ପର୍ଯ୍ୟନ୍ତ ଖୋର୍ଦ୍ଧାରେ ମୋଟ୍‌ ୧୧ ହଜାର ୯୧୦ ଟେଷ୍ଟିଂ ହୋଇଥିବା ବେଳେ ଏଥିରୁ ୪୬୭ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।  ଏଥିରେ ବିଏମ୍‌ସି ଅଞ୍ଚଳର ୨୧୧ ଜଣ ଓ ଖୋର୍ଦ୍ଧା ଗ୍ରାମାଞ୍ଚଳରୁ ୮୩ ଜଣ ରହିଛନ୍ତି। ବାକି ୧୭୩ଜଣ ସଂକ୍ରମିତଙ୍କ ସମ୍ପର୍କରେ କୌଣସି ତଥ୍ୟ ନାହିଁ।

ସେପଟେ ବର୍ଷାରେ ବେହାଲ ଭୁବନେଶ୍ବର । ନା ଡ୍ରେନ୍ ସଫା ହେଉଛି, ନା ହୋଇଛି ଡ୍ରେନେଜ ବ୍ୟବସ୍ଥା । ଯେଉଁକାରଣରୁ ଅସରାଏ ବର୍ଷାରେ ରାଜଧାନୀ ପାଣି ପାଣି ହୋଇଥିବା ବେଳେ ଅନେକ ସ୍ଥାନରେ ଡ୍ରେନଗୁଡିକ ସଫା ନହେବାରୁ ସେଥିରେ ବଂଶ ବିସ୍ତାର କରିବାରେ ଲାଗିଛନ୍ତି ମଶା । ରାସ୍ତାକଡ଼ରେ ପଡି ରହୁଥିବା ଭଙ୍ଗା ଟିଣ, ଟାୟାର, ଫୁଲକୁଣ୍ଡ ଆଦିରେ ପାଣି ଜମା ହୋଇ ରହୁଛି। ଗତବର୍ଷ ବିଏମ୍‌ସି ପକ୍ଷରୁ ଯେଉଁଭଳି ଭାବେ ଡ୍ରାଏ ଡେ’ ପାଳନ କରାଯାଉଥିଲା ତାହା ଚଳିତ ବର୍ଷ ଦେଖିବାକୁ ମିଳୁନାହିଁ। ଫଳରେ ସଂକ୍ରମଣ ବଢ଼ୁଥିବା କୁହାଯାଉଛି।

Share