Image 1722590879

‘‘ବିଜେଡିର ବସା ଖାଲି ହୋଇଯିବ। ଭବିଷ୍ୟତରେ ବିଜେଡି ରହିବନି, ଚାହିଁଲେ ବି ରଖିପାରିବେନି। ଦଳରେ ଥିବା ନେତାଙ୍କ ମଧ୍ୟରେ ଯୁଦ୍ଧ ଚାଲିବ, ଦଳ ଖଣ୍ତବିଖଣ୍ଡ ହୋଇଯିବ।” ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିବା ମମତା ମହାନ୍ତ ବିଜେପିରେ ମିଶିବା ପରେ ଏପରି ଢଙ୍ଗରେ ବିଜେଡିକୁ କଟାକ୍ଷ କରି କହିଛନ୍ତି ବିଜେପି ନେତା ଅରବିନ୍ଦ ଢାଲି।

ସେ କହିଛନ୍ତି, ଦଳରେ ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି। ଦଳ ଭିତରେ କାହାର ସ୍ୱାଧୀନତା ନାହିଁ। ମୁଁ ବିଜେଡିରେ ଥିବା ବେଳେ କୋଣଠେସା ହୋଇ ରହିଥିଲି। ସେହି ସମୟରେ ମୋତେ ଅଣ ନିଃଶ୍ୱାସୀ ଲାଗୁଥିଲା। ସେହି ସମୟରେ ବିଜେଡି ସୁପ୍ରିମୋଙ୍କୁ ଭେଟିବା ସମ୍ଭବ ପର ହେଉନଥିଲା। ପାଣ୍ତିଆନଙ୍କ ନିର୍ଦ୍ଦେଶ ହେଲେ ସୁପ୍ରିମୋଙ୍କୁ ଭେଟିବା ସମ୍ଭବ ହେଉଥିଲା। ବିଜେଡିର ପାଣ୍ଡିଆନ ସର୍ବେସର୍ବା ଥିଲେ। ଏବେ କିନ୍ତୁ ଆମ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାରେ କୌଣସି ପ୍ରତିବନ୍ଧକ ନାହିଁ।

ଢାଲି କହିଛନ୍ତି, ୨୫ ବର୍ଷ ଶାସନରେ BJD ଯାହା କରି ପାରି ନଥିଲା, ତାକୁ ଆଜି କରି ଦେଖାଉଛନ୍ତି ମୋହନ ସରକାର। ବିଜେପିରେ ଏଜେଣ୍ଡା ଅନୁସାରେ କାମ କରାଯାଉଛି। ମୁଖ୍ୟମନ୍ତ୍ରୀ ଯାହା ଯାହା ପ୍ରତିଶ୍ରୁତି ଦେଇଥିଲେ, ରାତିଦିନ ପରିଶ୍ରମ କରି ସେହି କାମ କରୁଛନ୍ତି। ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି। ୫ ବର୍ଷ ଭିତରେ ମୋହନ ସରକାର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବ ବୋଲି ଢାଲି କହିଛନ୍ତି।

ଜାତୀୟ ଦଳ ବିଲୟ ହୁଏନି। ଆଞ୍ଚଳିକ ଦଳର ବିଲୟ ହୁଏ। ଆଞ୍ଚଳିକ ଦଳ ଯିଏ ଗଢ଼ିଥାଏ, ସେ ଥିଲା ପର୍ଯ୍ୟନ୍ତ ଦଳ ଚାଲିଥାଏ।  ସେ ଅସୁସ୍ଥ ହେଲେ ବା ଆଉ କ’ଣ ହେଲେ ଦଳ ରହେନାହିଁ ବୋଲି ଢାଲି କହିଛନ୍ତି।

ଅନ୍ୟପକ୍ଷରେ ଢାଲିଙ୍କ ଏହି ନିଆଁରେ ଘିଅ ଢାଳିଛନ୍ତି ବରିଷ୍ଠ ବିଜେଡି ନେତା ଅମର ଶତପଥୀ। ସେ କହିଛନ୍ତି, ଆମୂଳ ଚୂଳ ସଂଗଠନକୁ ଠିକ୍
ନ କଲେ ଆଗକୁ ଅନେକ ଅଘଟଣ ଘଟିବାର ଆଶଙ୍କା ରହିଛି। ଆମ ସମସ୍ତଙ୍କର ଏ ଦିଗରେ ଅନୁଭବ ଅଛି। ସଂଗଠନ ଠିକ୍ କରିବାକୁ ପ୍ରଚେଷ୍ଟା ଆରମ୍ଭ ହୋଇଛି, ଦେଖାଯାଉ ଆଗକୁ କ’ଣ ହେଉଛି।

ତେବେ ବିଜେଡି ନେତା ଉମା ସାମନ୍ତରାୟ କହିଛନ୍ତି, ଆଜି ବି ଦଳ ଶକ୍ତିଶାଳୀ ଅଛି। ଢାଲିଙ୍କ ମନ୍ତବ୍ୟରେ ବିଜେଡିକୁ କିଛି ଫରକ ପଡ଼ିବନାହିଁ।

Share