Screenshot 2026 07 14

ଭଦ୍ରକ: ରୋଗୀଙ୍କୁ ଶସ୍ତାରେ ଔଷଧ ଉପଲବ୍ଧ କରିବା ଲକ୍ଷ୍ୟରେ ସରକାର ଜେନେରିକ୍ ଔଷଧ ସେବନ ବିଷୟରେ କୁହନ୍ତି। ସରକାରୀ ଡାକ୍ତରଙ୍କୁ ମଧ୍ୟ ଜେନେରିକ ଔଷଧ ଲେଖିବାକୁ ପରାମର୍ଶ ଦିଆଯାଏ। ଏହାପରେ ବି ସରକାରୀ ଡାକ୍ତରଖାନାରେ ନାମିଦାମି ମେଡିସିନ ଲେଖାଯାଉଛି। ରୋଗୀ ଅଯଥାରେ ସେହି ମେଡିସିନ ବାହାରୁ କିଣି ଖର୍ଚ୍ଚାନ୍ତ ହେଉଛି। ଏଭଳି କିଛି ଅଭିଯୋଗ ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚିଥିଲା। ଏଣୁ ସରକାରୀ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଶସ୍ତା ଓ ସୁଲଭ ଔଷଧ ଯୋଗାଇବା ଲକ୍ଷ୍ୟ ନେଇ ଭଦ୍ରକ ଜିଲ୍ଲାପାଳ କଡ଼ା ତାଗିଦ କରିଛନ୍ତି ।

ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରଥମେ “ନିରାମୟ’ଯୋଜନାରେ ଉପଲବ୍ଧ ଜେନେରିକ୍ ଔଷଧ ଲେଖିବାକୁ ହେବ । କୌଣସି ଔଷଧ ସେଠାରେ ଉପଲବ୍ଧ ନଥିଲେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ରରେ ମିଳୁଥିବା ସମତୁଲ୍ୟ ଜେନେରିକ୍ ଔଷଧ ପ୍ରେସକ୍ରିପସନରେଡାକ୍ତରମାନେ ଲେଖିପାରିବେ । ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଏବଂ ସିଡିଏମ୍ଓ ଏବଂ ପିଏଚ୍ଓଙ୍କ ପକ୍ଷରୁ ଜାରି ହୋଇଥିବା ଚିଠି ସଂଖ୍ୟା ୬୩୩୨ ଅନୁଯାୟୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କୁ ଏହି ଆଦେଶ ପ୍ରଦାନ କରାଯାଇଛି ।

ଭଦ୍ରକ ଜିଲ୍ଲାପାଳ ରୋଗୀ କଲ୍ୟାଣ ଓ ସୁଲଭ ସ୍ୱାସ୍ଥ୍ୟସେବାକୁ ସର୍ବାଧିକ ପ୍ରାଥମିକତା ଦେଇ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ କହିଛନ୍ତି । ଏହାର ନକଲେ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ, ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଓ ଆର.ଏନ୍. ଚକ୍ଷୁ ଚିକିତ୍ସାଳୟକୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଯାଇଛି ।

Share