Maa Sarala 1728124824

ଜଗତସିଂହପୁର : ଶାରଳା ମନ୍ଦିରରେ ବଦଳିଲା ଘିଅ। ଗଚ୍ଛିତ ଘିଅକୁ ଫେରସ୍ତ ପରେ ଓମ୍‌ଫେଡରୁ ଆସିଲା ୧୫ ଟିଣ ଘିଅ। ସେହି ଘିଅରେ ପ୍ରସାଦ ଦିଆରି ହେବ। ଏନେଇ ସୂଚନା ଦେଇଛନ୍ତି ଶାରଳା ମନ୍ଦିର ନିର୍ବାହୀ ଅଧିକାରୀ ପ୍ରତାପ ଜେନା।
ଶ୍ରୀ ଜେନା କହିଛନ୍ତି, ମଣ୍ଡା ଭୋଗ ପ୍ରସ୍ତୁତି ପାଇଁ ଆମ ପାଖରେ ଥିଲା ୧୦ ଟିଣ ଘିଅ। ଅଭିଯୋଗ ଆସିବା ପରେ ସେହି ଘିଅକୁ ବଦଳା ଯାଇଛି। ତା’ ବଦଳରେ ଅନ୍ୟ ଡିପୋରୁ ୧୫ ଟିଣ ଘିଅ ଦିଆଯାଇଛି। ସେହି ଘିଅ ଏବେ ବ୍ୟବହାର କରାଯାଇଛି। ସେହି ଘିଅ ଭଲ ଅଛି। ପୂର୍ବରୁ ଆମେ ଓମ୍‌ଫେଡ ପାଖରୁ ଘିଅ ଆଣୁଥିଲି। ହେଲେ ସେତେବେଳେ ଘିଅ ବ୍ୟାଚ୍‌ ନମ୍ୱର ଓ ଏକ୍ସପାଏରୀ ଡେଟ୍‌ ଦେଖିପାରିନଥିଲୁ। ଅଭିଯୋଗ ପରେ ସେହି ଘଅ ବଦଳା ଯାଇଛି। ଆଗକୁ ଘିଅ ଆଣିଲା ବେଳେ ଆମେ ଘିଅର ବ୍ୟାଚ୍‌ ନମ୍ୱର, ପ୍ରସ୍ତୁତ ତାରିଖ ଓ ଏକ୍ସପାଏରୀ ଡେଟ୍‌ ଦେଖିବୁ। ଭବିଷ୍ୟତରେ ଏମିତି ଆଉ ଭୁଲ୍‌ ହେବନାହିଁ ବୋଲି ଶ୍ରୀ ଜେନା କହିଛନ୍ତି।
ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଆ ଶାରଳା। ମାଆଙ୍କର ବାଟି ବାଟି ସମ୍ପତି ଥିବା ସତ୍ତ୍ୱେ କିଣା ଚାଉଳରେ ରୋଷେଇ ଓ ନୀତିକାନ୍ତିରେ ନିମ୍ନମାନର ଘିଅ ବ୍ୟବହାର ହେଉଥିବା ଅଭିଯୋଗ ହୋଇଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇଥିଲା ପ୍ରଶାସନ। ଜଗତସିଂହପୁର ଫୁଡ୍‌ ଇନ୍ସପେକ୍ଟର ମନ୍ଦିରରେ ଥିବା ଘିଅର ମାନଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଘଅର ବ୍ୟାଚ୍‌ ନମ୍ୱର, ପ୍ରସ୍ତୁତ ତାରିଖ ଓ ଏକ୍ସପାଏରୀ ଡେଟ୍‌ ନଥିଲା। ଏପରିକି ଘିଅରୁ ଦୁର୍ଗନ୍ଧ ବାହାରୁଥିଲା। ତେଣୁ ସେହି ଘିଅ ବ୍ୟବହାର ନକରିବା ପାଇଁ ପରାମର୍ଶ ଦିଆଯାଇଥିଲା।

Share