ଭୁବନେଶ୍ବର: ସିଧା ରାଜଧାନୀ ଭୁବନେଶ୍ବରରୁ ୟୁଏଇ ରାଜଧାନୀ ଆବୁଧାବି ସହ ସଂଯୋଗ ହେବ ବିମାନ ସେବା । ଆସନ୍ତା ଜୁନ୍ ୧୨ ତାରିଖରେ ଭୁବନେଶ୍ୱର ବିମାନବନ୍ଦରରୁ ସିଧା ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ର ରାଜଧାନୀ ଆବୁଧାବିକୁ ବିମାନ ଉଡ଼ିବ । ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ୍ ଓ କୁଆଲାଲାମ୍ପୁର ପରେ ଏବେ ଓଡିଶା ବିମାନ ଯାତ୍ରାରେ ଏବେ ଆଉ ଏକ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି ।
ତେବେ ଆସନ୍ତା ଜୁନ୍ ୧୨ରେ ରାଜ୍ୟରେ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଏହି ବିମାନଯାତ୍ରାର ଶୁଭାରମ୍ଭ ହେବ ।
ରାଜ୍ୟ ସରକାରଙ୍କ ସୂଚନା ମୁତାବକ, ଭୁବନେଶ୍ୱରରୁ ଦୈନିକ ହାରାହାରି ୪ଟି ବିମାନ ବିଦେଶକୁ ଚଳାଚଳ କରୁଛି । ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ ଓ କୁଆଲାଲାମ୍ପୁରକୁ ବିମାନ ସେବା ଜାରି ରହିଛି । ୨୦୨୩-୨୪ ବର୍ଷରେ କୁଆଲାଲାମ୍ପୁରକୁ ବିମାନ ସେବା ବନ୍ଦ ଥିଲା । ସପ୍ତାହକୁ ୩ ଥର ଦୁବାଇ, ୨ଥର ସିଙ୍ଗାପୁର ଓ ବ୍ୟାଙ୍କକ୍କୁ ବିମାନ ଯାତାୟାତ କରୁଛି । ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ଇଣ୍ଡିଗୋର ଏହି ନୂଆ ବିମାନ ସେବା ସପ୍ତାହକୁ ୩ ଦିନ (ମଙ୍ଗଳବାର, ଗୁରୁବାର ଓ ଶନିବାର) ଭୁବନେଶ୍ୱରରୁ ଆବୁଧାବିକୁ ଚଳାଚଳ କରିବ ।
ଗତ ଜାନୁଆରୀ ମାସରୁ ଏଯାବତ୍ ପ୍ରାୟ ୯ଟି ନୂଆ ସହରକୁ ବିମାନ ସେବା ଆରମ୍ଭ ହୋଇଛି । ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁର, କେରଳର କୋଚି ସମେତ ଲକ୍ଷ୍ନୌ, ପାଟନା, ଡେରାଡୁନ୍, ଇନ୍ଦୋର, ଗୋଆକୁ ବିମାନ ଚଳାଚଳ ହେଉଛି । ମାର୍ଚ୍ଚ ୩୦ ତାରିଖରୁ ଭୁବନେଶ୍ୱରରୁ ଉତ୍ତରପ୍ରଦେଶର ଗାଜିଆବାଦ୍ ଓ ଆଣ୍ଡମାନ ନିକୋବରର ରାଜଧାନୀ ପୋର୍ଟବ୍ଲେୟାରକୁ ସବୁଦିନ ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ଚଳାଚଳ କରୁଛି । ଆଉ ଏବେ ଜୁନ୍ ୧୨କୁ ଆବୁଧାବି ସହ ସିଧା ଯୋଡି ହେବାକୁ ଯାଉଛି ଓଡିଶା ।