Image

ଭୁବନେଶ୍ବର: ରାଜ୍ୟରେ ବ୍ୟାପୁଥିବା ହଇଜା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାର ନିରାକରଣ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ସଂଯୁକ୍ତା ସାହୁ । ସେ କହିଛନ୍ତି ଯେ, ଏହି ଅଭିଯାନ ଦେଢ଼ ମାସ ଧରି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

କିଭଳି ଭାବରେ ଡାଇରିଆରୁ ଛୋଟ ପିଲାଙ୍କୁ ସୁରକ୍ଷିତ ରଖାଯିବ ସେନେଇ ହେଉଛି ଆଲୋଚନା । ଏହି ଅଭିଯାନରେ ବିଶେଷ ଭାବରେ ଆଶାକର୍ମୀ, ସ୍ୱାସ୍ଥ୍ୟ କର୍ମୀ ସମେତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନେ ସାମିଲ ହୋଇଛନ୍ତି ।

ଲୋକଙ୍କୁ ORS ଓ ଜିଙ୍କ୍‌ ଯୋଗାଇବାକୁ ସବସେଣ୍ଟରକୁ ଦିଆଯାଇଛି । ଯାଜପୁର ଜିଲ୍ଲାରେ ମୃତ ରୋଗୀଙ୍କ ନମୂନାରୁ କଲେରା ଭୂତାଣୁ ମିଳିଛି । ଘାତକ ଭାରିଆଣ୍ଟ ଭିବ୍ରିଓ କଲେରା ଚିହ୍ନଟ ହୋଇଛି ବୋଲି ଡା. ସଂଯୁକ୍ତା ସାହୁ କହିଛନ୍ତି ।

ଗତକାଲି ସୁଦ୍ଧା ଡାଇରିଆ ସ୍ଥିତିରେ ଉଲ୍କେଖନୀୟ ସୁଧାର ଆସୁଛି । ଆଜି କୌଣସି ଡାଇରିଆ ଜନିତ ମୃତ୍ୟୁର ସୂଚନା ମିଳିନାହିଁ । ହସ୍ପିଟାଲରେ ଡାଇରିଆ ସଂକ୍ରମିତଙ୍କ ଆଡମିଶନ୍ ପରିମାଣ ମଧ୍ୟ ବହୁତ କମିଛି । ବର୍ତ୍ତମାନ ସୁଦ୍ଧା ଯାଜପୁର ଜିଲ୍ଲାରେ ସମୁଦାୟ ୧୭୭୧ ଜଣ ସଂକ୍ରମିତଙ୍କ ବ୍ୟକ୍ତିଙ୍କ ବିଭିନ୍ନ ହସ୍ପିଟାଲରେ ଆଡମିଶନ ହୋଇଛି । ସେମାନଙ୍କ ମଧ୍ୟରୁ ୧୫୦୮ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି ଏବଂ ୨୫୮ ଜଣ ଚିକିତ୍ସିତ ହେଉଛନ୍ତି । ୫ଟି ଡାଇରିଆ ମୃତ୍ୟୁ ବିଷୟ ପରୀକ୍ଷା ପରେ ପ୍ରମାଣିତ ହୋଇଛି । ଆଉ ଅନ୍ୟ ୫ଟି ଡାଇରିଆ ମୃତ୍ୟୁ ଅଭିଯୋଗର ତଦନ୍ତ ଚାଲୁରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି ।

Share