Modi chin

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଆହୁରି ଶକ୍ତ ହେବ ଲଢେଇ । ବିଶ୍ବରୁ ଆତଙ୍କବାଦର ମୂଳପୋଛ ପାଇଁ ଭାରତ ସବୁବେଳେ ସ୍ବର ଉଠାଇ ଆସୁଥିବା ବେଳେ ପହଲଗାମ୍ ହମଲା ପରେ ଅପରେସନ ସିନ୍ଦୂରରେ ଜବାବ ଦେଇ ସାରା ବିଶ୍ବକୁ ଆତଙ୍କବାଦ ବିରୋଧୀ ଆଭିମୁଖ୍ୟ ନେଇ ଅଭିଯାନ ଆରମ୍ଭ କରିଥିଲା ଭାରତ । ଆଉ ଏହି ଆତଙ୍କୀ ବିରୋଧୀ ଲଢେଇକୁ ଅଧିକ ଶକ୍ତିଶାଳୀ କରିବାକୁ ଚୀନର ସହଯୋଗ ଲୋଡିଛି ଭାରତ । ଚୀନ ରାଷ୍ଟ୍ରପତିଙ୍କୁ ଆତଙ୍କବାଦ ବିରୋଧରେ ଭାରତ କରୁଥିବା ଲଢେଇଲେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆତଙ୍କବାଦ ବିରୋଧରେ ଭାରତ ସହ ହାତ ମିଳାଇ ଏକାଠି ଲଢିବାକୁ ମୋଦି ଆହ୍ବାନ ଦେଇଛନ୍ତି ।

ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ- ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ୨୦୨୬ରେ ଭାରତରେ ଆୟୋଜିତ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀକୁ ନିମନ୍ତ୍ରଣ କରିଛନ୍ତି । ଦୁଇ ଦେଶର ସମ୍ପର୍କ କେମିତି ଆହୁରି ସୁଦୃଢ ହେବ ଏବେ ଦୁଇ ଦେଶ କିପରି ବିକାଶ ପାଇଁ ଏକାଠି କାମ କରିବେ ତା ଉପରେ ଆଲୋଚନା କରିଥିଲେ । ମୋଦୀ ଏବଂ ଜିନପିଙ୍ଗ ସୀମା ବିବାଦର ସମାଧାନ ଏବଂ ସୀମାରେ କେମିତି ଶାନ୍ତି ବଜାୟ ରହିହେବ ତା ଉପରେ ମଧ୍ୟ କଥାବାର୍ତ୍ତା କରାଯାଇଛି ।

ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଛନ୍ତି ଯେ ଉଭୟ ଦେଶ ବନ୍ଧୁ ହୋଇ ରହିବା ହେଉଛି ବୁଦ୍ଧିମାନର କାମ । ହାତୀ ଏବଂ ଡ୍ରାଗନ୍ ପରସ୍ପରର ସଫଳତା ପାଇଁ ଏକାଠି କାମ କରିବା ଉଚିତ। ମୋଦୀଜୀ, ଆପଣଙ୍କୁ ପୁଣି ଭେଟି ଖୁସି ଲାଗୁଛି। ଗତ ବର୍ଷ କାଜାନରେ ଆମର ବୈଠକ ସଫଳ ହୋଇଥିଲା। ଏବେ ବିଶ୍ୱ ଏକ ବଡ଼ ପରିବର୍ତ୍ତନ ଆଡକୁ ଗତି କରୁଛି। ଆମେ ଉଭୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ। ଏବେ ଭଲ ପଡ଼ୋଶୀ ହେବା ଏବଂ ଡ୍ରାଗନ୍ ଓ ହାତୀ ଏକାଠି ହେବା ଗୁରୁତ୍ୱପୂର୍ଣ୍ଣ ବୋଲି ଚୀନ ରାଷ୍ଟ୍ରପତି କହିବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଟାରିଫ ଟାର୍ଗେଟ୍ ଏବଂ ନାଲିଆଖି ଆଉ କିଛି ଫରକ ପକାଇ ନପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ମୋଦୀ କହିଛନ୍ତି-

ଭାରତ କେବଳ ସେତେବେଳେ ଚୀନ୍ ଉପରେ ବିଶ୍ୱାସ କରିବ ଯେତେବେଳେ ଚୀନ୍ ବିଶ୍ୱାସ, ସମ୍ମାନ ଏବଂ ସମ୍ବେଦନଶୀଳତା… ଏହି ତିନୋଟି ମୂଲ୍ୟବୋଧକୁ ସଚ୍ଚୋଟତାର ସହିତ ବଜାୟ ରଖିବ। ଉଭୟ ଦେଶ ସମ୍ପର୍କକୁ ଆଗକୁ ନେବା ପାଇଁ ପ୍ରତିବଦ୍ଧ। ଏବେ ସୀମାରେ ଶାନ୍ତି ଏବଂ ସ୍ଥିରତାର ବାତାବରଣ ରହିଛି ଏବଂ ଆମର ସମ୍ପର୍କକୁ ଏକ ସକାରାତ୍ମକ ଦିଗ ମିଳିଛି। ଆମେ ପାରସ୍ପରିକ ବିଶ୍ୱାସ ସହିତ ଆଗକୁ ବଢ଼ିବୁ। ସମ୍ପର୍କରେ ସୁଧାର ଆସିବା ପରେ ଏବେ କୈଳାସ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ ହୋଇଛି। ଆଗକୁ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ପୁନଃ ଆରମ୍ଭ ହେବ। ଏସସିଓର ସଫଳ ଅଧ୍ୟକ୍ଷତା ପାଇଁ ମୁଁ ଚୀନକୁ ଅଭିନନ୍ଦନ ଜଣାଉଛି ବୋଲି ମୋଦୀ କହିଛନ୍ତି ।

Share