ନୂଆ ନିଯୁକ୍ତି ପାଇଥିବା ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ, କଠିନ ପରିଶ୍ରମର କ୍ଷମତା ଏବଂ ପୂରଣ ହୋଇଥିବା ସ୍ୱପ୍ନରୁ ଜନ୍ମିତ ଆତ୍ମବିଶ୍ୱାସ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ, ଯେତେବେଳେ ଏହି ମନୋଭାବ ଦେଶ ସେବା କରିବାର ଆଗ୍ରହ ସହିତ ମିଶିଯାଏ, ସେତେବେଳେ ତାହା ବ୍ୟକ୍ତିଗତ ସଫଳତାକୁ ଟପି ଦେଶ ପାଇଁ ଏକ ସଫଳତା ପାଲଟିଯାଏ। ସେ କହିଥିଲେ, ଏସବୁ ନିଯୁକ୍ତି କେବଳ ସରକାରୀ ଚାକିରି ନୁହେଁ, ବରଂ ରାଷ୍ଟ୍ରନିର୍ମାଣରେ ସକ୍ରିୟ ଯୋଗଦାନ ଲାଗି ଏକ ସୁଯୋଗ। ସେ ଆଶା ପ୍ରକାଶ କରିଥିଲେ ଯେ, ନୂଆ ନିଯୁକ୍ତି ପାଇଥିବା ଯୁବକଯୁବତୀମାନେ ନିଷ୍ଠା ଓ ସାଧୁତାର ସହ କାମ କରିବେ ଓ ଭାରତ ଭବିଷ୍ୟତ ପାଇଁ ଏକ ଉନ୍ନତ ବ୍ୟବସ୍ଥା ଗଢିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ।
ଭୁବନେଶ୍ୱର/ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବ୍ୟାପୀ ଆୟୋଜିତ ରୋଜଗାର ମେଳା କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରିବା ସହିତ ୫୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ଏହି କ୍ରମରେ ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିୟମରେ ଆୟୋଜିତ ରାଜ୍ୟସ୍ତରୀୟ ରୋଜଗାର ମେଳା କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୩୦୨ ଜଣ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବିତରଣ କରିଛନ୍ତି। ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ଭାରତୀୟ ଡାକ ବିଭାଗ, ରେଳବାଇ, ରାଷ୍ଟ୍ରାୟତ ବ୍ୟାଙ୍କ, କେନ୍ଦ୍ରୀୟ ଜିଏସଟି, ସିଆରପିଏଫ ଭୁବନେଶ୍ୱର ଏମ୍ସ ଆଦି ବିଭାଗ ଓ ପ୍ରତିଷ୍ଠାନରେ ନିଯୁକ୍ତି ମିଳିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଆଭାସୀ ପ୍ରସାରଣ କରାଯାଇଥିଲା।

