Bfdda010 b488 11f0 acd9 0d3d768325ae.jpg

ନୂଆଦିଲ୍ଲୀ: ଦୀପାବଳି ପରଠାରୁ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଉଦ୍‌ବେଗଜନକ ହୋଇଉଠୁଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ଅନୁଯାୟୀ ଗୁରୁବାର ସକାଳ ୧୦ଟା ସୁଦ୍ଧା ଦିଲ୍ଲୀରେ ଏକ୍ୟୁଆଇ (ବାୟୁ ମାନ ସୂଚକାଙ୍କ) ୪୦୦ ଅତିକ୍ରମ କରିଥିବା ଜଣାପଡିଛି। ସୋମବାର, ମଙ୍ଗଳବାର ଓ ବୁଧବାର ସହରର ହାରାହାରି ଏକ୍ୟୁଆଇ ଯଥାକ୍ରମେ ୩୦୧, ୨୯୪ ଓ ୨୭୯ ରେକର୍ଡ କରାଯାଇଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନଦଣ୍ଡ ଅନୁଯାୟୀ ୪୦୦ ଏକ୍ୟୁଆଇକୁ ଅତି ସାଂଘାତିକ ଶ୍ରେଣୀଭୁକ୍ତ କରାଯାଇଛି। ବର୍ତ୍ତମାନ ଦିଲ୍ଲୀରେ ଗ୍ରାପ୍‌-୨ କଟକଣା ଲାଗୁ କରାଯାଇଛି। ଏହାସତ୍ତ୍ବେ ପ୍ରଦୂଷଣ ସ୍ଥିତିରେ ସେଭଳି ଉନ୍ନତି ଦେଖାଯାଉନାହିଁ। ସହରରେ କୃତ୍ରିମ ବର୍ଷା ଯୋଜନାକୁ ଆପାତତଃ ସ୍ଥଗିତ ରଖାଯାଇଛି। ଇତିମଧ୍ୟରେ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ଟ୍ୟାଙ୍କର ଜରିଆରେ ସଡକରେ ଜଳ ସିଞ୍ଚନ କରାଯାଉଛି। ସହର ମଧ୍ୟକୁ ଭାରୀଯାନର ପ୍ରବେଶ ଉପରେ କଟକଣା ମଧ୍ୟ ଲାଗୁ କରାଯାଇଛି।

ବିଏସ୍‌-୬ ପେଟ୍ରୋଲ/ଡିଜେଲ, ସିଏନଜି ଓ ବିଦ୍ୟୁତ୍‌ଚାଳିତ ଯାନଗୁଡିକୁ ଏହି କଟକଣାରୁ ମୁକ୍ତ ରଖାଯାଇଛି। ଘରୋଇ ଯାନବାହନ ଚଳାଚଳ ଉପରେ ନିୟନ୍ତ୍ରଣ ଆଣିବାକୁ ଏନଡିଏମସି ପକ୍ଷରୁ ପାର୍କିଂ ଦେୟକୁ ଦୁଇଗୁଣ ବୃଦ୍ଧି କରାଯାଇଛି। ପାର୍କିଂ ଫି’ ବୃଦ୍ଧି କରାଗଲେ ଲୋକେ ଘରୋଇ ଯାନର କମ ବ୍ୟବହାର କରିବେ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ ଦୀପାବଳିରେ କେବଳ ସବୁଜ ବାଣର ବିକ୍ରି ଓ ବ୍ୟବହାରକୁ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ। ତେବେ ଦୀପାବଳିରେ ପାରମ୍ପରିକ ବାଣର ବ୍ୟାପକ ବ୍ୟବହାର କରାଯାଇଥିଲା। ଫଳରେ ଦୀପାବଳି ପରଦିନ ଦିଲ୍ଲୀର ବାୟୁମଣ୍ଡଳ ଏତେମାତ୍ରାରେ ପ୍ରଦୂଷିତ ହୋଇଥିଲା ଯେ ଏହା ବିଶ୍ବର ସବୁଠାରୁ ପ୍ରଦୂଷିତ ସହରର ମାନ୍ୟତାଲାଭ କରିଥିଲା।

Share