Screenshot 2025 11 15 171640

ନୂଆଦିଲ୍ଲୀ: ବିହାର ନିର୍ବାଚନ ଏଥର ଲାଲୁ ପରିବାରକୁ ଦୁଃଖ ଦେଇଛି। ପୂର୍ବରୁ ନିର୍ବାଚନ ସିଟ୍ ସଂଖ୍ୟା ହ୍ରାସ ପାଇଥିଲା ଆଉ ଏବେ ପରିବାର ଭାଙ୍ଗୁଥିବା ନଜର ଆସୁଛି। ବିହାର ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ୨୪ ଘଣ୍ଟା ମଧ୍ୟରେ ଲାଲୁ ଯାଦବଙ୍କ ଝିଅ ରୋହିଣୀ ରାଜନୀତି ଓ ପରିବାର ଉଭୟ ଛାଡିବା ପାଇଁ ଘୋଷଣା କରିଦେଇଛନ୍ତି। ସୂଚନାଯୋଗ୍ୟ ରୋହିଣୀ ନିଜ ପିତାଙ୍କୁ କିଡନୀ ଦେଇଥିଲେ। ଏକ୍ସରେ ଲେଖିଥିବା ପୋଷ୍ଟରେ ରୋହିଣୀ ଆଚାର୍ଯ୍ୟ ଏହା ଘୋଷଣା କରିଥିଲେ। କହିରଖୁଛୁ ନିର୍ବାଚନର କିଛି ସମୟ ପୂର୍ବରୁ ଲାଲୁ ନିଜ ବଡ ପୁଅ ତେଜ ପ୍ରତାପ ଯାଦବଙ୍କୁ ପାର୍ଟି ଓ ପରିବାରରୁ ବେଦଖଲ କରିଥିଲେ।

ରୋହିଣୀ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ସଞ୍ଜୟ ଯାଦବଙ୍କ ଉପରେ ଗୁରୁତର ଅଭିଯୋଗ ଲଗାଇଛନ୍ତି। ସେ ଲେଖିଛନ୍ତି ଯେ ସଞ୍ଜୟ ଯାଦବ ଓ ରମିଜ ତାଙ୍କୁ ଏମିତି କରିବା ପାଇଁ କହିଛନ୍ତି। ସେ ଲେଖିଛନ୍ତି ଯେ ମୁଁ ସବୁ ଅଭିଯୋଗ ନିଜ ଉପରକୁ ନେଉଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ରୋହିଣୀ ପୂର୍ବରୁ କେବଳ ରାଜନୀତି ଛାଡିବା କଥା ଲେଖିଥିଲେ। କିନ୍ତୁ ପରେ ସେ ଏହାକୁ ଏଡିଟ୍ କରି ସଞ୍ଜୟ ଯାଦବ ଓ ରମିଜଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି। କହିରଖୁଛୁ ରୋହିଣୀଙ୍କ ସଞ୍ଜୟ ଯାଦବଙ୍କ ସହ ତିକ୍ତତା ଚାଲିଥିଲା। ଏହି ତିକ୍ତତା ବିହାର ଅଧିକାର ଯାତ୍ରାରେ ସ୍ପଷ୍ଟ ନଜର ଆସୁଛି। ପୂର୍ବରୁ ମଧ୍ୟ ରୋହିଣୀ ସେପ୍ଟେମ୍ବରରେ ଏକ୍ସରେ ପରିବାର ସମ୍ପର୍କରେ ଲେଖିଥିଲେ ଯେ ‘ମୁଁ ଝିଅ ଓ ଭଉଣୀ ରୂପେ ନିଜ କର୍ତ୍ତବ୍ୟ ଏବଂ ଧର୍ମ ପାଳନ କରିବି। ମୋତେ କୌଣସି ପଦ ପଦବୀର ଲାଳସା ନାହିଁ କିମ୍ବା ରାଜନୈତିକ ଇଛା ମଧ୍ୟ ନାହିଁ।  ମୋ ପାଇଁ ମୋ ଆତ୍ମସମ୍ମାନ ସବୁକିଛି।’ ତେବେ ଗତକାଲି ନିର୍ବାଚନ ଫଳାଫଳ ଆସିବା ପରେ ସେ ରାଜନୀତି ଓ ପରିବାରଠୁ ଦୂରେଇ ରହିବାକୁ ଚାହିଁଛନ୍ତି।

Share