ବିଶେଷ କରି ବାଘ ରହୁଥିବା ଟେରିଟାରୀରେ ଗଣନାକୁ ଅଧିକ ପ୍ରାଧାନ୍ୟ ଦିଆଯିବ। ଡିଭିଜନସ୍ତରରେ ବିଭିନ୍ନ ଉପାୟରେ ବ୍ୟାଘ୍ର ଗଣନା ପାଇଁ ଏକତ୍ରିକରଣ ଏବଂ ବିଶ୍ଲେଷଣ କରାଯିବ। ଫରେଷ୍ଟର, ଗାର୍ଡ ଏବଂ ଅନ୍ୟ ବନ କର୍ମଚାରୀମାନେ ଏମ୍ଷ୍ଟ୍ରିପେସ୍ ଇକୋଲିଜିକାଲ ଆପ୍ ଜରିଆରେ ସର୍ଭେ ରିପୋର୍ଟ ନିର୍ଦ୍ଧାରିତ ସମୟ ମଧ୍ୟରେ ଲୋଡ୍ କରିବାକୁ ବନବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାପରେ କେନ୍ଦୁଝର ବନ ଖଣ୍ଡରେ କେଉଁ ପ୍ରଜାତିର କେତେ ବାଘ ଅଛନ୍ତି ତାହା ସ୍ପଷ୍ଟ ହେବ। କେନ୍ଦୁଝର ବନଖଣ୍ଡରେ ଏକ ମହାବଳ ବାଘ ଶିମିଳିପାଳ ଓ ଅନ୍ୟ ଏକ ଢେଙ୍କାନାଳ ପଟୁ ଆସି ଚଳପ୍ରଚଳ କରୁଛି । ବାଘର ଗତିବିଧି ପାଇଁ ସଂରକ୍ଷିତ ଜଙ୍ଗଲରେ ୭୦ଟି କ୍ୟାମେରା ଖଞ୍ଚା ଯାଇଛି।
ସୂଚନାଯୋଗ୍ୟ, ଡିସେମ୍ବର ୧ ତାରିଖ ଠାରୁ ୧୫ ଜାନୁୟାରୀ ମଧ୍ୟରେ ଜଙ୍ଗଲ ମଧ୍ୟରେ ଟ୍ରାପ କ୍ୟାମେରା ଏବଂ ଇନଟେନସିଭ କ୍ୟାମେରା ଟ୍ରାପିଂ ମାଧ୍ୟମରେ ବାଘର ଗତିବିଧି ଉପରେ ନଜର ରଖାଯିବ। କ୍ୟାମେରା କେଉଁ କେଉଁ ସ୍ଥାନରେ କିପରି ଲଗାଯିବ ଏବଂ କେତେ ଉଚ୍ଚତାରେ ଲଗାଯିବ ସେ ନେଇ ତାଲିମ ପ୍ରଦାନ କରାଯାଇଥିଲା। ବାଘର ଗତିବିଧି ଜାଣିବା ପାଇଁ ଘଟଗାଁ, ପାଟଣା ଏବଂ ତେଲକୋଇ ବନାଞ୍ଚଳରେ କ୍ୟାମେରା ଲାଗିଛି। ମହାବଳ ବାଘ ସହିତ କଲରାପତରିଆ ବାଘର ଅଟେଇ ସଂରକ୍ଷିତ ଜଙ୍ଗଲରେ ପୂର୍ବରୁ ରହି ଆସୁଥିବାରୁ ସତର୍କତାର ସହିତ ଏବଂ ତ୍ରୁଟିବିହୀନ ବାଘ ଗଣନା ପାଇଁ ପଦକ୍ଷେପ ନିଆଯାଉଛି ।

