ନୂଆପଡ଼ା ବିଧାନସଭା ଉପନିର୍ବାଚନ ଉଭୟ ଶାସକ ଓ ବିରୋଧୀ ଦଳଙ୍କ ପାଇଁ ସମ୍ମାନ ଏବଂ ପ୍ରତିଷ୍ଠାର ପ୍ରଶ୍ନ ଥିଲା। ସେଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ନେତୃତ୍ବରେ ବିଜେପି ନୂଆପଡ଼ାରେ ସବୁ ବଳ ଲଗାଇ ଦେଲା। ବିରୋଧୀଙ୍କ ତୀବ୍ର ବିରୋଧ ସତ୍ତ୍ବେ ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଜୟ ବିପୁଳ ବିଜୟ ହାସଲ କରି ପାର୍ଟି ଓ ଡବଲ ଇଞ୍ଜିନ ରାଜ୍ୟ ସରକାରଙ୍କ ସମ୍ମାନ ରକ୍ଷା କଲେ। ମୋହନ ସରକାରଙ୍କ ୧୭ ମାସର ଶାସନ ପ୍ରତି ରାଜ୍ୟବାସୀଙ୍କ ଦୃଢ଼ ଆସ୍ଥା ପ୍ରତିଫଳିତ ହେଲା। ମୋହନଙ୍କ ନେତୃତ୍ବକୁ ସୁଦୃଢ଼ କରିବା ତଥା ରାଜ୍ୟରେ ବିଜେପି ସଙ୍ଗଠନକୁ ଆହୁରି ମଜଭୁତ କରିବା ପାଇଁ ଏହି ବିଜୟ ଖୋରାକ ଯୋଗାଇଲା।
ଉପନିର୍ବାଚନ ଫଳାଫଳ ଜଣାପଡ଼ିବା ପରେ ଦଳୀୟ କାର୍ଯ୍ୟାଳୟରେ ଉତ୍ସବ ପାଳନ ଆରମ୍ଭ ହୋଇଥିଲା। ଏତେ ବଡ଼ ବିଜୟ ଉଲ୍ଲାସ ସୁଯୋଗକୁ ହାତ ଛଡ଼ା ନକରି ପାର୍ଟି ତରଫରୁ ଭୁବନେଶ୍ବରରେ ବିଜୟ ଉତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ ହେଲା। ଉଭୟ ଉତ୍ସବରେ ଖୋଦ୍ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ସମେତ ପାର୍ଟିର ବହୁ ତୁଙ୍ଗନେତା ସାମିଲ ହେଲେ। କିନ୍ତୁ ରାଜ୍ୟ ମନ୍ତ୍ରିମଣ୍ଡଳରୁ କେବଳ ଦୁଇ ମନ୍ତ୍ରୀଙ୍କୁ ଛାଡ଼ି ଆଉ କେହି ଆସିଲେନି। ନିର୍ଭରଯୋଗ୍ୟ ସୂତ୍ରରୁ ହସ୍ତଗତ ସୂଚନା ଅନୁଯାୟୀ, ଶୁକ୍ରବାର ଜଣେ ମନ୍ତ୍ରୀ ନୂଆଦିଲ୍ଲୀରେ ଏବଂ ଅନ୍ୟ ଜଣେ ନୂଆପଡ଼ାରେ ଉପସ୍ଥିତ ଥିଲେ। ପ୍ରଥମ ଦିନ ଶୁକ୍ରବାର ଅନୁପସ୍ଥିତ ମନ୍ତ୍ରୀ ଶନିବାର ଭୁବନେଶ୍ବରରେ ଥାଇ ସୁଦ୍ଧା ସମ୍ବର୍ଦ୍ଧନା ଉତ୍ସବକୁ ଆସିଲେ ନାହିଁ। ରାଜ୍ୟରେ ଡବଲ ଇଞ୍ଜିନ ଓ ସରକାରଙ୍କ ପତିଆରା ବୃଦ୍ଧି ପାଇଁ ଉଭୟ କାର୍ଯ୍ୟକ୍ରମ ବେଶ୍ ଗୁରୁତ୍ବ ବହନ କରୁଥିବା ବେଳେ ମନ୍ତ୍ରୀମାନଙ୍କ ଅନୁପସ୍ଥିତି ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
ନୂଆପଡ଼ାରେ ଦଳୀୟ ପ୍ରାର୍ଥୀ ଜୟଙ୍କ ସପକ୍ଷରେ ବିପୁଳ ଜନାଦେଶ ମୋହନ ସରକାର ଓ ଦଳୀୟ ସାଙ୍ଗଠନିକ ଦକ୍ଷତା ଉପରେ ମୋହର ଲଗାଇଛି। ନୂଆପଡ଼ାବାସୀଙ୍କ ଆଶୀର୍ବାଦ ରାଜ୍ୟ ରାଜନୀତିରେ ବେଶ୍ ଗୁରୁତ୍ବ ବହନ କରୁଛି। ବିରୋଧୀଙ୍କ ମୁହଁ ବନ୍ଦ କରିବା ପାଇଁ ନୂଆପଡ଼ା ବିଜୟ ଯଥେଷ୍ଟ ବୋଲି କୁହାଯାଉଛି। ଏହାକୁ ନେଇ ବିଜେପି ନେତାଙ୍କଠାରୁ ଆରମ୍ଭ କରି କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହିତ। ହେଲେ ମନ୍ତ୍ରୀମାନଙ୍କ ଅନୁପସ୍ଥିତି ଦଳ ଭିତରେ କିଛି ଅଡୁଆ ପରିସ୍ଥିତି ଆଡ଼କୁ ଇଙ୍ଗିତ କରୁଛି ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି।

