ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଆମ ସରକାର ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଯାଉଛନ୍ତି। ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ନୀତି, ନିୟମ ପରିସରରେ ରହି ଉଦ୍ୟୋଗୀମାନଙ୍କୁ ସମସ୍ତ ସହାୟତା ପ୍ରଦାନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ସରକାରଙ୍କ ନୂତନ କାର୍ଯ୍ୟକ୍ରମ ‘ମିଶନ ପାୱାର’ ଅଧୀନରେ ୨୦୨୭ ସୁଦ୍ଧା ରାଜ୍ୟର ପ୍ରତିଟି ଗ୍ରାମକୁ ସବୁ ଦିନିଆ ରାସ୍ତା, ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣର ଲକ୍ଷ୍ୟ ରହିଛି। ଏହି ଲକ୍ଷ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ସାରିବା ପାଇଁ ଜିଲ୍ଲାପାଳମାନଙ୍କୁ ମିଶନ ମୋଡ୍ ରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମ ଓ ଯୋଜନା ବାବଦ ଖର୍ଚ୍ଚ ଓ ଏହାର ଅଗ୍ରଗତି ସମ୍ପର୍କରେ ପ୍ରତି ୩/୪ ମାସରେ ଥରେ ସମୀକ୍ଷା କରିବା, ଲଘୁ ଖଣିଜ ଦ୍ରବ୍ୟର ଚୋରା କାରବାରକୁ କଡାକଡି ଭାବେ ରୋକିବା, ଚୋରା ମଦ କାରବାର ବିରୁଦ୍ଧରେ ଏନଫୋର୍ସମେଣ୍ଟକୁ ଅଧିକ କଡାକଡି କରିବା, ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡିକରେ ଜନଜାତି ସମ୍ପ୍ରଦାୟଙ୍କୁ ଜଙ୍ଗଲଜାତ ଲଘୁ ଦ୍ରବ୍ୟ ସଂଗ୍ରହ ଓ ବିକ୍ରିବଟା କ୍ଷେତ୍ରରେ ଆଇନ ଅନୁଯାୟୀ ସହାୟତା ପ୍ରଦାନ କରିବା, ଧାନ ସଂଗ୍ରହ ଋତୁରେ ଧାନ ଚୋରାଚାଲଣ ପ୍ରତି ତୀକ୍ଷ୍ଣ ନଜର ରଖିବା ଇତ୍ୟାଦି ବିଷୟରେ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ପାଇଁ କହିଥିଲେ।
ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ କ୍ଷମତାର ଉଚିତ୍ ବ୍ୟବହାର କରି ସବୁ ସ୍ତରରେ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ ଶାସନ ଆଣିବା ପାଇଁ ପ୍ରୟାସ କରିବା ପାଇଁ ଆହ୍ୱାନ ଦେଇଥିଲେ। ଜିଲ୍ଲା ଓ ବ୍ଲକ ସ୍ତରରେ ସମସ୍ତ ସରକାରୀ ନଥିପତ୍ର, ନୋଟିସ୍, ବିବରଣୀ ଓ ବିଜ୍ଞାପନ ଓଡିଆ ଭାଷାରେ କରିବା ସହିତ କାର୍ଯ୍ୟାଳୟକୁ ଆସୁଥିବା ଜନପ୍ରତିନିଧିମାନଙ୍କୁ ସମ୍ମାନର ସହିତ ସୌଜନ୍ୟମୂଳକ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ ଯେ, ସରକାର ଓ ପ୍ରଶାସନର ଗତି ସମାନ୍ତରାଳ ଭାବେ ନ ରହିଲେ ସମାଜର ଶେଷଧାଡି ପର୍ଯ୍ୟନ୍ତ ଯୋଜନାର ସୁଫଳ ପହଞ୍ଚିବ ନାହିଁ। ତେଣୁ, ଲୋକଙ୍କ ସରକାରରେ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଯାହାସବୁ ଯୋଜନା ଓ କାର୍ଯ୍ୟକ୍ରମ ରହିଛି ତାକୁ ସଠିକ୍ ସମୟରେ ସାରି ଲୋକଙ୍କ ପାଖରେ ପହଞ୍ଚାନ୍ତୁ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, ବିଗତ ଦେଢ ବର୍ଷ ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ସଫଳତା ପୂର୍ବକ ଅନେକ କଲ୍ୟାଣକାରୀ ଯୋଜନା ପ୍ରଣୟନ କରାଯାଇଛି। ଲୋକଙ୍କୁ ମୌଳିକ ସୁବିଧା ତଥା ସେମାନଙ୍କୁ ସାଧାରଣ ସେବା ଯୋଗାଇଦେବା ପାଇଁ ଲୋକଙ୍କ ପାଖକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ। ସେ କହିଥିଲେ ରାଜସ୍ୱ ବିଭାଗ ହେଉଛି ସରକାରଙ୍କ ମେରୁଦଣ୍ଡ। ସାଧାରଣ ଜନତାଙ୍କ ପାଇଁ ରାଜସ୍ୱ ସେବାକୁ ଅଧିକ ସରଳ କରିବା ପାଇଁ ରାଜସ୍ୱ ଆଇନ ଗୁଡିକରେ ସଂଶୋଧନ କରାଯାଇଛି। ଏହା ଦ୍ୱାରା ଲୋକଙ୍କ ଅସୁବିଧା ଦୂର ହୋଇପାରିଛି।

