ଦଳ ଭିତରେ ହେଉଥିବା ଆଲୋଚନା ମୁତାବକ, କିଛି ଦିନ ହେଲା ଦଳୀୟ ନେତା ନବୀନ ନିବାସ ଯାଉଛନ୍ତି। ନବୀନଙ୍କ ପାଖରେ ସେମାନେ ଦଳୀୟ ସଙ୍ଗଠନରେ ପାଣ୍ଡିଆନ ଦମ୍ପତିଙ୍କ ପ୍ରବେଶ ପାଇଁ କହୁଛନ୍ତି। ଡିସେମ୍ବର ୨୬ରେ ପ୍ରତିଷ୍ଠା ଦିବସ ପୂର୍ବରୁ ସୁଜାତାଙ୍କୁ ବିଜେଡିରେ ସାମିଲ କରି ଗୁରୁତ୍ବପୂର୍ଣ୍ଣ ପଦବୀ ଦେବା ପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଉଥିବା କୁହାଯାଉଛି। ଦଳର ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ନବୀନ ନିବାସ ଡକାଯାଇ ଏସବୁ କସରତ ହେଉଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସୁଜାତା ବିଜେଡିରେ ମିଶିବା ପରେ ରାଜ୍ୟସଭା ଯାଇପାରନ୍ତି ବୋଲି ଆଲୋଚନା ହେଉଛି।
ନିକଟରେ ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଏ ସମ୍ପର୍କରେ ତାଙ୍କ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଥିଲେ। ସେ କହିଥିଲେ, କିଛି ନେତା ତାମିଲ ଆଦର୍ଶକୁ ସୁହାଇଲା ଭଳି ଆଚରଣ କରୁଛନ୍ତି। ତାମିଲ ବୋହୂ ହାତରେ ଦଳକୁ ଟେକି ଦେବା ପାଇଁ ଏବେ ସଂଘବଦ୍ଧ ରଣନୀତି ଆରମ୍ଭ କରିଦେଇଛନ୍ତି। ନାଁ ନନେଇ ସେ ସୁଜାତାଙ୍କ ବିଜେଡିରେ ପ୍ରବେଶ ଓ ଦଳର ଉତ୍ତରାଧିକାରୀ ହାଇଜାକ୍ ପ୍ଲାନ୍ ନିମନ୍ତେ ଷଡ଼ଯନ୍ତ୍ର ହେଉଥିବା ଉଲ୍ଲେଖ କରିଥିଲେ। ସେ ଲେଖିଥିଲେ, ‘ଶକ୍ତି ନାନୀ’ କୁଆଡ଼େ ଶକ୍ତି ଗୋଟାଉଛନ୍ତି ଦଳରେ ମିଶି ରାଜ୍ୟସଭା ଯିବା ପାଇଁ, ଆଉ ଏଣ୍ଟ୍ରି ହୋଇଗଲେ ପୁଣି ହେବ ନୂଆ ସମୀକରଣ। ଓଡ଼ିଶା ଲୋକେ ତାମିଲ ପୁଅକୁ ତ ପ୍ରତ୍ୟାଖ୍ୟାନ କଲେ। ତାମିଲ ପୁଅର ସ୍ତ୍ରୀକୁ କେତେ ଆଦର କରିବେ। ନବୀନ ବାବୁ କହିଥିଲେ ରାଜ୍ୟର ଜନତା ତାଙ୍କ ଉତ୍ତରାଧିକାରୀ ନିଜେ ବାଛିବେ। ତା’ହେଲେ ଏବେ ଶକ୍ତିନାନୀଙ୍କୁ ବିଜେଡିରେ ଏଣ୍ଟ୍ରି ଦେଇ ଉତ୍ତରାଧିକାରୀ ହାଇଜାକ୍ ପ୍ଲାନ୍ କରାଉଛି କିଏ ବୋଲି ଶ୍ରୀମୟୀ ପ୍ରଶ୍ନ କରିଥିଲେ।
ବିଜେଡିର ଉତ୍ତରାଧିକାରୀ ପ୍ରସଙ୍ଗରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ମିଶ୍ର କହିଛନ୍ତି, ଯଦି ସେମିତି କରିବାର ଅଛି, ସଭାପତି ଯେତେବେଳେ ଘୋଷଣା କରିବେ ଜଣାପଡ଼ିବ। ଯଦି ଦଳରେ ସେଭଳି କିଛି ବିଧିବଦ୍ଧ ନିଷ୍ପତ୍ତି ହୁଏ ବା ସଭାପତି ନିର୍ଦେଶ ଦିଅନ୍ତି ସମସ୍ତେ ଜାଣିପାରିବେ। ତା’ପୂର୍ବରୁ ଚାଲିଥିବା ଚର୍ଚ୍ଚା ଆଲୋଚନାକୁ ନେଇ କିଛି କହିହେବ ନାହିଁ। ଶ୍ରୀ ମିଶ୍ର ଉତ୍ତରାଧିକାର ପ୍ରସଙ୍ଗକୁ ଅସ୍ବୀକାର କରି ନ ଥିବାରୁ ଏହା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ବିଜେଡିର ନେତୃତ୍ବକୁ ନେଇ ହେଉଥିବା ଏଭଳି ଚର୍ଚ୍ଚା, ଆଲୋଚନା ଆଗକୁ ସତ ହେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା।

