୭୬ତମ ସମ୍ବିଧାନ ଦିବସ ଅବସରରେ ଓକିଲ ମାଥ୍ୟୁ ଜେ ନେଦୁମ୍ପରାଙ୍କ ପକ୍ଷରୁ ଏହି ପ୍ରସଙ୍ଗ ଉଠାଯାଇଥିବାବେଳେ ପ୍ରଧାନ ବିଚାରପତି ଏହାର ବିଚାର କରାଯିବ ବୋଲି କହିଛନ୍ତି। ସୁପ୍ରିମକୋର୍ଟର ୫ଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ କଲେଜିୟମ୍ ଦେଶର ସମସ୍ତ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ନୂଆ ବିଚାରପତି ନିଯୁକ୍ତି ଲାଗି ନିଷ୍ପତ୍ତି ନେଇଥାଆନ୍ତି। ଏହି ନିଷ୍ପତ୍ତି ଉପରେ କେନ୍ଦ୍ର ସରକାର କେବଳ ମୋହର ମାରିଥାନ୍ତି। ଏହି ନିଯୁକ୍ତି ପ୍ରକ୍ରିୟାରେ ସରକାରଙ୍କର କୌଣସି ନିଷ୍ପତ୍ତି ନେଇ ନଥାନ୍ତି। ନୂଆ ବିଚାରପତି ନିଯୁକ୍ତି ସହିତ ବିଭିନ୍ନ ନ୍ୟାୟିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି କ୍ଷେତ୍ରରେ ମଧ୍ୟ କଲେଜିୟମ୍ ନିଷ୍ପତ୍ତି ନେଇଥାନ୍ତି। ତେବେ ଏହି କଲେଜିୟମ୍ ବ୍ୟବସ୍ଥାରେ ଅନେକ ଅନିୟମିତତା ନଜରକୁ ଆସିବା ପରେ ସରକାର ଏହାର ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଥିଲେ। ବ୍ୟବସ୍ଥାର ପରିବର୍ତ୍ତନ ପୂର୍ବକ ସରକାର ୯୯ତମ ସମ୍ବିଧାନ ସଂଶୋଧନ କଲେ। ଏହା ସହିତ ନ୍ୟାସନାଲ ଜୁଡିସିଆଲ ଆପଣ୍ଟମେଣ୍ଟ ଆଇନ ପ୍ରଣୟନ କଲେ। ସଂସଦ ଓ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ୨୦୧୫ ଏପ୍ରିଲ ୧୩ରେ ନୂଆ ଆଇନ ଦେଶରେ କାର୍ଯ୍ୟକାରୀ ହେଲା। ମାତ୍ର ୨୦୧୫ ଅକ୍ଟୋବର ୧୬ରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ ୪-୧ ରାୟରେ ଏହି ଆଇନକୁ ଅସାମ୍ବିଧାନିକ ଦର୍ଶାଇବା ପୂର୍ବକ ଖାରଜ କରିଦେଇଥିଲେ।
ଏହା ସହିତ ପୂର୍ବ ପ୍ରଚଳିତ କଲେଜିୟମ୍ ବ୍ୟବସ୍ଥାକୁ କାଏମ ରଖିଥିଲେ। ୫ଜଣିଆ ସାମ୍ବିଧାନିକ ପୀଠରେ ଥିବା ବିଚାରପତିଙ୍କ ମଧ୍ୟରୁ ଜଷ୍ଟିସ ଜେଏସ୍ ଖେହର, ଜଷ୍ଟିସ ମଦନ ଲୋକୁର, ଜଷ୍ଟିସ ଜୋସେଫ୍ କୁରିଏନ ଓ ଜଷ୍ଟିସ ଆଦର୍ଶ କୁମାର ଗୋଏଲ୍ ଏନଜେଏସି ଆଇନକୁ ଅସାମ୍ବିଧାନିକ ଦର୍ଶାଇଥିଲେ। ପୀଠର ଅନ୍ୟତମ ବିଚାରପତି ଜେ ଚେଲାମେଶ୍ବର ଆଇନକୁ ବୈଧ ଦର୍ଶାଇଥିଲେ।

