ନୂଆଦିଲ୍ଲୀ: କ୍ୟାନ୍ସର ଚିକିତ୍ସାରେ ନୂଆ ସମ୍ଭାବନା । ମାତ୍ର ୫ ଦିନରେ ବ୍ରେନ ଟ୍ୟୁମର ଗାଏବ କଲା ନୂଆ ଔଷଧ। କର୍କଟ ଭଳି ମାରାତ୍ମକ ରୋଗର ଚିକିତ୍ସା କ୍ଷେତ୍ରରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଆମେରିକାର ମାସାଚୁସେଟ୍ସ ଜେନେରାଲ୍ ହସ୍ପିଟାଲର ବୈଜ୍ଞାନିକମାନେ ଏକ ନୂତନ ‘ସେଲ୍ ଥେରାପି’ ବିକଶିତ କରିଛନ୍ତି। ଯାହା ମାତ୍ର କିଛି ଦିନ ମଧ୍ୟରେ ମସ୍ତିଷ୍କର ଭୟଙ୍କର ଟ୍ୟୁମରକୁ ପ୍ରାୟ ସମ୍ପୂର୍ଣ୍ଣ ଭାବେ ନିଶ୍ଚିହ୍ନ କରିଦେଇଛି। ଏହି ନୂତନ ଚିକିତ୍ସା ପଦ୍ଧତିର ନାଁ CARv3-TEAM-E। ଏହା ରୋଗୀଙ୍କ ନିଜସ୍ୱ ପ୍ରତିରୋଧକ କୋଷକୁ ବ୍ୟବହାର କରି କର୍କଟ କୋଷକୁ ନଷ୍ଟ କରିଥାଏ।
କ୍ଲିନିକାଲ୍ ଟ୍ରାଏଲ୍ ସମୟରେ ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କୁ ଏହି ଥେରାପି ଦିଆଯାଇଥିଲା। ମାତ୍ର ୨ ଦିନ ମଧ୍ୟରେ ତାଙ୍କ ଟ୍ୟୁମର ସଙ୍କୁଚିତ ହେବାକୁ ଲାଗିଥିଲା। ମାତ୍ର ୫ ଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଭାବେ ଅଦୃଶ୍ୟ ହୋଇଯାଇଥିଲା। ଏହି ଥେରାପି ମୁଖ୍ୟତଃ ‘ଗ୍ଲାଇଓବ୍ଲାଷ୍ଟୋମା’ ନାମକ ଏକ ଅତି ଆକ୍ରମଣାତ୍ମକ ବ୍ରେନ୍ କ୍ୟାନ୍ସର ପାଇଁ ପରୀକ୍ଷା କରାଯାଉଛି।
ଯାହା ପୂର୍ବରୁ ଚିକିତ୍ସା କରିବା ଅସମ୍ଭବ ମନେ ହେଉଥିଲା। ବୈଜ୍ଞାନିକମାନେ ଏହାକୁ କ୍ୟାନ୍ସର ବିରୋଧରେ ଏକ “ଜେନେଟିକ୍ ଇଞ୍ଜିନିୟରିଂ ମିରାକଲ୍” ବୋଲି କହୁଛନ୍ତି। ଯଦିଓ ଏହା ଏବେ ପ୍ରାଥମିକ ପର୍ଯ୍ୟାୟରେ ଅଛି, ତଥାପି ଏହା ଭବିଷ୍ୟତରେ କର୍କଟ ରୋଗୀଙ୍କ ପାଇଁ ଏକ ନୂଆ ଆଶାର କିରଣ ଭାବେ ଉଭା ହୋଇଛି।

