ଭୁବନେଶ୍ୱର ୧୮/୦୨ : ଗଞ୍ଜାମ ଦୁର୍ଘଟଣା ପ୍ରସଙ୍ଗରେ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ । ବ୍ରହ୍ମପୁର ହଳଦିଆପଦର ନିକଟ ଜାତୀୟ ରାଜପଥ ଉପରେ ହୋଇଥିବା ଦୁର୍ଘଟଣା ନେଇ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ ରାସ୍ତା ନିରାପତ୍ତା କମିଟି । ମାର୍ଚ୍ଚ ୫ ସୁଦ୍ଧା ବିସ୍ତୃତ ରିପୋର୍ଟ ଦେବାକୁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ଭବିଷ୍ୟତରେ ଦୁର୍ଘଟଣା ରୋକିବାକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରସ୍ତାବିତ ସୁରକ୍ଷା ପଦକ୍ଷେପଗୁଡ଼ିକର ରିପୋର୍ଟ ମଧ୍ୟ କମିଟିକୁ ପଠାଇବେ। ଜାନୁଆରୀ ୩୧ରେ ଗଞ୍ଜାମରେ ଟ୍ରକ୍ ଧକ୍କାରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ସୁପ୍ରିମକୋର୍ଟର ସଡ଼କ ସୁରକ୍ଷା କମିଟି (SCCoRS) ଗଞ୍ଜାମ ଜିଲ୍ଲାରେ ଘଟିଥିବା ଦୁଃଖଦ ସଡ଼କ ଦୁର୍ଘଟଣାକୁ ଗମ୍ଭୀରତାର ସହ ନେଇଥିଲା । ଯେଉଁଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା । ଛଅ ଜଣ ଗୁରୁତର ଆହତ ହୋଇଥିଲେ।
ସୂଚନା ଥାଉକି, ରିପୋର୍ଟ ଅନୁଯାୟୀ, ଜାନୁଆରୀ ୩୧ ତାରିଖରେ, ହଳଦିଆପଦର ନିକଟରେ NH-16 ରେ ଭୁଲ ଦିଗରେ ଯାଉଥିବା ଏକ ଟ୍ରକ୍ ଗୋଟିଏ ପରେ ଗୋଟିଏ ତିନୋଟି ମୋଟର ସାଇକେଲକୁ ଧକ୍କା ଦେଇଥିଲା । ପରେ ଏକ ପୋଲ ସହିତ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ।
