Naveen1

ଭୁବନେଶ୍ବର: ଆସିଲା ଚଳିତ ଆର୍ଥିକ ବର୍ଷର ବଜେଟ । ୨ ଘଣ୍ଟା ଧରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରିବା ପରେ ଏଥରର ବଜେଟକୁ ଚିରାଚରିତ ଢଙ୍ଗରେ ନୈରାଶ୍ୟଜନକ ବୋଲି କହିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ବଜେଟକୁ ନେଇ ବିରୋଧୀ ଦଳନେତା ନବୀନ ପଟ୍ଟନାୟକ ଫୁଲ୍ ମେନ୍ୟୁ ଇନ୍ ଏମପ୍ଟି କିଚେନ କହିଥିବା ବେଳେ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ- ଭାରତୀୟ ଜନତା ପାର୍ଟିର ସରକାରରେ ଯେଉଁମାନେ ରାଜ୍ୟରେ ଅଛନ୍ତି ସେମାନଙ୍କର ଅର୍ଥନୀତି ଉପରେ ଜ୍ଞାନ ଅଛି ବୋଲି ମୁଁ ଭାବୁନି । ନବୀନ ବାବୁ ଅର୍ଥନୀତି ବୁଝନ୍ତି, ୨୪ ବର୍ଷ ଭିତରେ ଗୋଟେ ଦୁର୍ବଳ ରାଜ୍ୟକୁ ସ୍ବଚ୍ଛଳ କରି ସେ ଉଦାହରଣ ସୃଷ୍ଟି କରିଛନ୍ତି । ନବୀନ ବୁଝିଛନ୍ତି ଏ ସରକାରର କୌଣସି ଭିଜନ ନାହିଁ । ଏଥର ବଜେଟ ସବୁଠାରୁ ଖରାପ ବଜେଟ୍ ବୋଲି ଗୌତମବୁଦ୍ଧ କହିଛନ୍ତି ।

ସେପଟେ ନବୀନଙ୍କ ପ୍ରତିକ୍ରିୟାକୁ କଟାକ୍ଷ କରି କହିଛନ୍ତି ବିଜେପି ବିଧାୟକ ସନ୍ତୋଷ ଖଟୁଆ । ନବୀନଙ୍କ ‘ଫୁଲ୍ ମେନ୍ୟୁ ଇନ୍ ଏମପ୍ଟି କିଚେନ’ ରିଆକ୍ସନର ଜୋମାଟୋ ଜବାବ ଦେଇଛନ୍ତି ସନ୍ତୋଷ । ସେ କହିଛନ୍ତି- ନବୀନ ସରକାରରେ ଥିଲା ବେଳେ ବି ଏକ ଧାଡ଼ିଆ ଉତ୍ତର ଦିଅନ୍ତି । ଆଜିକାଲି ମେନ୍ୟୁ କେତେ ଭଲ ସେଇଟା ଗୁରୁତ୍ବପୂର୍ଣ୍ଣ, କିଚେନ ଦରକାର ନାହିଁ । ଲୋକ ଜୋମାଟୋରୁ ବି ଖାଦ୍ୟ ମଗେଇ ଖାଉଛନ୍ତି । ନବୀନ ବଜେଟରେ ମେନ୍ୟୁ ଠିକ୍ ଅଛି କହିଲେ ଆମେ ଖୁସି । ତାଙ୍କ ସରକାରରେ ନା ମେନ୍ୟୁ ଠିକ୍ ଥିଲା ନା କିଚେନ ଥିଲା । ସେମାନେ ଏଡେବଡ଼ ବଜେଟ ଦେଖିନଥିଲେ ବୋଲି ସନ୍ତୋଷ ଖଟୁଆ କହିଛନ୍ତି ।

ରାଜ୍ୟବାସୀଙ୍କ ପାଇଁ ନିରାଶଜନକ ବଜେଟ୍। ପୂର୍ବ ବଜେଟ୍ ଖର୍ଚ୍ଚ କରି ପାରୁ ନାହାନ୍ତି । ରୁଣ ବଢାଇବାରେ ଲାଗିଛନ୍ତି। ବଜେଟ୍ ରେ କିଛି ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ।  ବଜେଟ୍ ରେ ନୂଆ ନାହିଁ । ରୁଣ କରି ଗୁଣ ଗାଇବା ପାଇଁ ଏ ବଜେଟ୍ କରାଯାଇଛି ବୋଲି କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି ।

Share