Pressmeet

ଭୁବନେଶ୍ୱର: ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଥିବା ବେଳେ, ଆଜି ବିଜୁ ଜନତା ଦଳ ଏହି ବଜେଟ ଅନ୍ତସାର ଶୂନ୍ୟ ଓ କେବଳ ପ୍ରଚାରଧର୍ମୀ ବଜେଟ ବୋଲି ଅଭିହିତ କରିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳର ଉପନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଓ ବିଧାୟକ ଶ୍ରୀ ଗୌତମ ବୁଦ୍ଧ ଦାସ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ରାଜ୍ୟ ସରକାର ବଜେଟର ପରିମାଣ ୩ ଲକ୍ଷ ୧୦ ହଜାର କୋଟିକୁ ବୃଦ୍ଧି କରି ବାହାଦୁରି ନେବାକୁ ଯେଉଁ ପ୍ରୟାସ କରୁଛନ୍ତି, ତାହା ଗ୍ରହଣୀୟ ନୁହେଁ । ପୂର୍ବ ବର୍ଷ ତୁଳନାରେ ମାତ୍ର ୬.୨୫% ବୃଦ୍ଧି ହୋଇଥିବା ବେଳେ ମୁଦ୍ରାସ୍ପୀତିକୁ ୮% ହାରରେ ବିଚାରକୁ ନେଲେ, ବଜେଟ ପରିମାଣ ବୃଦ୍ଧି ହୋଇନାହିଁ ବରଂ ଦୁଇ ପ୍ରତିଶତ ହ୍ରାସ ପାଇଛି ।
ସରକାରଙ୍କ ଆୟ କମୁଛି, ତେଣୁ ଋଣ ଭାରରେ ଓଡିଶାକୁ ବୁଡାଉଛନ୍ତି । ନବୀନ ବାବୁ ରାଜ୍ୟର ଦାୟିତ୍ୱ ନେବା ପରେ ରାଜ୍ୟର ବିପର୍ଯ୍ୟସ୍ତ ଆର୍ଥିକ ସ୍ଥିତିକୁ ସୁଧାର କରି ଓଡିଶାକୁ ଏକ ଆର୍ଥିକ ଶୃଙ୍ଖଳା ରାଜ୍ୟରେ ପରିଣତ କରିଥିଲେ । ବର୍ତ୍ତମାନର ସରକାର କେବଳ ଋଣ କରି ରାଜ୍ୟର ଆର୍ଥିକ ସ୍ଥିତିକୁ ଆଉଥରେ ବିପଦ ଆଡ଼କୁ ଠେଲି ଦେଉଛନ୍ତି । ମାତ୍ର ୩ଟି ବଜେଟରେ ବର୍ତ୍ତମାନର ସରକାର ପ୍ରାୟ ୧.୩୮ ଲକ୍ଷ କୋଟି ଋଣ କଲେଣି । ସରକାର ଋଣ ଉପରେ ନିର୍ଭର କରି ରାଜ୍ୟବାସୀଙ୍କୁ ସୁନେଲି ସ୍ୱପ୍ନ ଦେଖାଉଛନ୍ତି ।
କୃଷକ ମାନଙ୍କ ସମସ୍ୟାକୁ ସମାଧାନ ପାଇଁ ସରକାରଙ୍କ କୌଣସି ଯୋଜନା ନାହିଁ କି ଆନ୍ତରିକତା ନାହିଁ । ସ୍ୱାସ୍ଥ୍ୟ ବିଭାଗର ପରିମାଣକୁ କମାଇ ଦିଆଯାଇଛି । ବିଭିଜି ରାମଜୀ ଯୋଜନାରେ ୯୦:୧୦ ପରିବର୍ତ୍ତେ, ୬୦:୪୦ରେ ଖର୍ଚ୍ଚ ହେବ, ଯାହା ରାଜ୍ୟ ଉପରେ ଅଧିକ ଆର୍ଥିକ ବୋଝ ବଢିବ । ଏହି ବଜେଟ ଏକ ପ୍ରଚାରଧର୍ମୀ ବଜେଟ । ଅନେକ ଯୋଜନା ଘୋଷଣା କରିଛନ୍ତି, କିନ୍ତୁ ଅର୍ଥ ପ୍ରଦାନ କରାଯାଇନାହିଁ । ମୁଙ୍ଗେରିଲାଲଙ୍କ ହସିନ ସ୍ୱପ୍ନ ଭଳି ସରକାର ରାଜ୍ୟର ବିକାଶ ପାଇଁ ରାଜ୍ୟବାସୀଙ୍କୁ କେବଳ ସ୍ୱପ୍ନ ଦେଖାଉଛନ୍ତି ।

Share