00

ନବରଙ୍ଗପୁର : ଗର୍ଭବତୀ ମାଆଙ୍କୁ ଏଣିକି ଦୂରଦୂରାନ୍ତର ଡାକ୍ତରଖାନାକୁ ଆସି ଅଲଟ୍ରାସ୍କାନ କରିବାର ଆବଶ୍ୟକତା ନାହିଁ। ସବୁ ବ୍ଲକରେ ଏହି ସୁବିଧା ଉପଲବ୍ଧ କରାଯିବ ବୋଲି ସରକାର ଘୋଷଣା କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ଏହା ନବରଙ୍ଗପୁର, ଉମରକୋଟ ଓ ପାପାଡାହାଣ୍ଡିରେ ହିଁ କାର୍ଯ୍ୟକାରୀ ହେଉଥିବା ବେଳେ ବଳକା ୭ଟି ବ୍ଲକରେ କେବେ କାର୍ଯ୍ୟକାରୀ‌ ହେବ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।
ଜିଲ୍ଲାରେ ୩ଟି ସରକାରୀ ଡାକ୍ତରଖାନାରେ ୮୩୯୧ ଗର୍ଭବତୀ ଓ ଗୋଟିଏ ଘରୋଇ ଡାକ୍ତରଖାନାରେ ୩୩୧୦ ଏଭଳି ୧୧,୭୦୧ଜଣ ଗର୍ଭବତୀଙ୍କର ପରୀକ୍ଷା କରାଯାଇଛି। ନବରଙ୍ଗପୁର ଜିଲ୍ଲା ସଦରମହକୁମାର ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଓ ଘରୋଇ ଖ୍ରୀଷ୍ଠୀୟାନ ମେଡିକାଲରେ ୨ଟି ମେସିନରେ ଯାଂଚ କରାଯାଉଛି। ପାପାଡାହାଣ୍ଡି ସିଏଚସି ଓ ଉମରକୋଟ ଏସଡିଏଚରେ ଆଉ ଗୋଟିଏ ଲେଖାଏଁ ମେସିନରେ ଯାଂଚ କରାଯାଉଛି। ଘରୋଇ ଖ୍ରୀଷ୍ଠିୟାନ ମେଡିକାଲ ବାଦ୍‌ ସୀମାଦ୍ରୀ ସୂର୍ଯ୍ୟା ଆଇ ହସ୍ପିଟାଲ ଓ ଉମରକୋଟର ସାଇ ହସ୍ପିଟାଲରେ ଆଉ‌ ଗୋଟିଏ ଅଲଟ୍ରା ସାଉଣ୍ଡ ମେସିନ୍ ରହିଛି। ନବରଙ୍ଗପୁରଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ସ୍ତ୍ରୀ ଓ ପ୍ରସୁତି ବିଶେଷଞ ଡ.ଦିଲ୍ଲୀପ କୁମାର ଦଳେଇ ୧୮୨୩ଜଣ ଗର୍ଭବତୀଙ୍କର ଅଲଟ୍ରାସ୍କାନ କରିଛନ୍ତି। ଖ୍ରୀଷ୍ଠିୟାନ ହସ୍ପିଟାଲରେ ସ୍ତ୍ରୀ ଓ ପ୍ରସୁତି ବିଶେଷଞ ଡ.ଜସ୍ମିନ୍ ପାଲେନ୍ ସାହୁ ୩୩୧୦ଜଣଙ୍କୁ, ଉମରକୋଟ ଏସଡିଏଚରେ ସ୍ତ୍ରୀ ଓ ପ୍ରସୁତି ବିଶେଷଜ୍ଞ ଡ.ପ୍ରମୋଦ କୁମାର ନାୟକ ୫୧୫୧ ଓ ପାପାଡାହାଣ୍ଡି ସିଏଚସିରେ ଡ.ସାଗରିକା ସ୍ବାଇଁ ୧୪୧୭ଜଣ ଗର୍ଭବତୀଙ୍କର ଗର୍ଭପରୀକ୍ଷା କରିଥିବା ସୂଚନା ମିଳିଛି।
ତେବେ ଜିଲ୍ଲାର ସବୁ ବ୍ଲକରେ ୧୫ହଜାର ମହିଳା ଗର୍ଭଧାରଣ କରୁଥିବା ବେଳେ ସବୁ ଗର୍ଭବତୀ ନିଜ ଗର୍ଭର ପରୀକ୍ଷା କରି ପାରୁନାହାନ୍ତି। ଉମରକୋଟ ଏସଡିଏଚରେ ଉମରକୋଟ ବ୍ଲକ ଓ ପୌରାଂଚଳ, ରାଇଘର ବ୍ଲକ, ଝରିଗାଁ ବ୍ଲକ ଓ ଚନ୍ଦାହାଣ୍ଡି ବ୍ଲକର ଗର୍ଭବତୀମାନଙ୍କୁ ଗର୍ଭ ପରୀକ୍ଷା କରିବାକୁ ଆଶାକର୍ମୀ ମାନେ ଆଣୁଛନ୍ତି। ସେହିପରି ପାପାଡାହାଣ୍ଡି ସିଏଚସିକୁ ପାପାଡାହାଣ୍ଡି ବ୍ଲକ, ଡାବୁଗାଁ ବ୍ଲକ ଓ କୋଷାଗୁମୁଡା ବ୍ଲକର ଆଣି ପରୀକ୍ଷା କରୁଛନ୍ତି। ଅପରପକ୍ଷରେ ନବରଙ୍ଗପୁର ଜିଲ୍ଲା ସଦରମହକୁମା ଡିଏଚଏଚ ଡାକ୍ତରଖାନା ଓ ଖ୍ରୀଷ୍ଠିୟାନ ହସ୍ପିଟାଲକୁ ନବରଙ୍ଗପୁର ପୌରପାଳିକା ଓବ୍ଲକ, ନନ୍ଦାହାଣ୍ଡି ବ୍ଲକ, ତେନ୍ତୁଳିଖୁଣ୍ଟି ବ୍ଲକର ଗର୍ଭବତୀଙ୍କୁ ପରୀକ୍ଷା ପାଇଁ ନେଉଥିବା ସୂଚନା ମିଳିଛି। ଏହା ବାଦେ ଡିଏଚଏଚରେ ମାତୃତ୍ବ ଦିବସ ବେଳେ ମଧ୍ୟ ବହୁ ଗର୍ଭବତୀଙ୍କର ପରୀକ୍ଷା କରାଯାଉଥିବା କହିଛନ୍ତି ଡିଏମଓ ଡ.ସୁକାନ୍ତ ଶତପଥୀ। ସବୁ ବ୍ଲକରେ ସ୍ତ୍ରୀ ଓ ପ୍ରସୁତି ବିଶେଷଜ୍ଞ ନିଯୁକ୍ତି ନଚେତ ଇଛୁକ ଥିବା ଡାକ୍ତରଙ୍କୁ ଏହାର ପରିଚାଳନା ପାଇଁ ତାଲିମ ନେବାକୁ ପଠାଇବାକୁ ବି ପିସି ପିଏନଡିଟି ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି।

Share