ଭୁବନେଶ୍ବର ୨୨।୨: ରାଜ୍ୟସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ତାରିଖ ଘୋଷଣା ସହ ଓଡ଼ିଶା ରାଜନୀତିକୁ ସରଗରମ କଲାଣି ରାଜ୍ୟସଭା ନିର୍ବାଚନ । ଚତୁର୍ଥ ଆସନକୁ ନେଇ ଏବେବି ସସ୍ପେନ୍ସ ଜାରି ରହିଛି । ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଯୋଗେଶ ସିଂ । ସେ କହିଛନ୍ତି, ରାଜ୍ୟସଭା ପ୍ରାର୍ଥୀ କିଏ ହେବ ସେ ନିଷ୍ପତ୍ତି ଆମ ସଭାପତି ନେବେ ।
ବିଜେପି ବହୁତ କଥା କହିବ । ସେମାନେ କୁହାଳିଆ ସରକାର । ଭାଷଣବାଜିରେ ଏକ ନମ୍ବର । ହେଲେ କାର୍ଯ୍ୟକାରୀ କରିବାରେ ଫେଲ୍ । ଏମାନେ ପୁଞ୍ଜିପତି ସରକାର । ଏ ସରକାର ପୁଞ୍ଜିପତି ମାନଙ୍କ କଣ୍ଟ୍ରୋଲରେ । ସେମାନେ ସବୁ ସିଟ୍ ନେବାକୁ ଉଦ୍ୟମ କରିବେ । ଆମେ ମଧ୍ୟ କରୁଥିଲୁ । ଆମେ ସେଥିରେ ସଫଳ ମଧ୍ୟ ହେଉଥିଲୁ । କାହାର କ୍ଷତି କରୁନଥିଲୁ । ନିୟମ ଅନୁସାରେ କରୁଥିଲୁ । ଆମେ ଘୋଡା ବେପାର କରୁ ନଥିଲୁ । ଏମାନେ ଘୋଡା ବେପାର କଲେ ମଧ୍ୟ ସଫଳ ହେବେ ନାହିଁ ବୋଲି ଯୋଗେଶ ସିଂ କହିଛନ୍ତି ।
ରାଜ୍ୟସଭା ନିର୍ବାଚନକୁ ନେଇ ବଡ଼ ବୟାନ ରଖିଛନ୍ତି ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ । ସେ କହିଛନ୍ତି, ଆମର ଗୋଟିଏ ଇଞ୍ଜିନ୍, ଗୋଟିଏ ନେତା । ନବୀନ ସବୁବେଳେ ସରପ୍ରାଇଜ୍ ଦିଅନ୍ତି । ଏଥର ରାଜ୍ୟସଭା ଆସନକୁ ନେଇ ବି ମାଷ୍ଟର ଷ୍ଟ୍ରୋକ୍ ଖେଳିବେ ନବୀନ । ଆଉ ସେହି ମାଷ୍ଟର ଷ୍ଟ୍ରୋକ୍ରେ ସମସ୍ତ ବିରୋଧୀ ଘାଇଲା ହେଇଯିବେ ବୋଲି ଚିନ୍ମୟ ସାହୁ କହିଛନ୍ତି ।
