କୋଲକତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ବଡ଼ ଖବର । ଫାଲଟା ବିଧାନସଭା ଆସନରେ ମେ ୨୧ ତାରିଖରେ ପୁଣି ମତଦାନ ହେବ । କିନ୍ତୁ ନିର୍ବାଚନର ମାତ୍ର ୪୮ ଘଣ୍ଟା ପୂର୍ବରୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାନ ନିର୍ବାଚନ ମଣ୍ଡଳିରୁ ଓହରି ଯାଇଛନ୍ତି । ଜାହାଙ୍ଗୀର ଖାନ ବ୍ୟକ୍ତିଗତ କାରଣରୁ ନାମ ପ୍ରତ୍ୟାହାର କରୁଛନ୍ତି ବୋଲି ଟିଏମସି କହିଛି । ତାଙ୍କର ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି ।
ଜାହାଙ୍ଗୀର ଖାନ୍ କହିଛନ୍ତି, ମୁଁ ଫାଲଟାର ପୁଅ..ଆଉ ମୁଁ ଚାହୁଁଛି ଫାଲଟାରେ ଶାନ୍ତି ରହୁ.. ବିକାଶ ହେଉ । ଆମ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଫାଲଟାର ବିକାଶ ପାଇଁ ସ୍ବତନ୍ତ୍ର ପ୍ୟାଜେକ୍ ଦେଉଛନ୍ତି । ତେଣୁ ମୁଁ ନିର୍ବାଚନ କ୍ଷେତ୍ରରୁ ପୁନଃ ମତଦାନରୁ ନିଜକୁ ଅଲଗା କରୁଛି ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଫାଲଟା ନିର୍ବାଚନ ମଣ୍ଡଳୀରେ ବ୍ୟାପକ ହିଂସା, ଭୋଟରଙ୍କୁ ଭୟଭୀତ କରିବା ଏବଂ ଇଭିଏମ୍ (EVM) ଟାମ୍ପରିଂ ଭଳି ଗମ୍ଭୀର ଅଭିଯୋଗ ଆସିଥିଲା । ଏହାପରେ ଭାରତୀୟ ନିର୍ବାଚନ କମିଶନ ଏହି ଆସନର ସମସ୍ତ ୨୮୫ଟି ବୁଥରେ ମେ ୨୧ ତାରିଖରେ ନୂଆ ଭାବେ ପୁନଃ-ମତଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କାରଣରୁ ମେ ୪ ତାରିଖରେ ରାଜ୍ୟର ଅନ୍ୟ ଆସନଗୁଡ଼ିକର ଫଳାଫଳ ପ୍ରକାଶ ପାଇଥିଲେ ମଧ୍ୟ ଫାଲ୍ଟାର ଫଳାଫଳ ସ୍ଥଗିତ ରଖାଯାଇଥିଲା । ଏହି ଆସନରେ ଆସନ୍ତା ମେ ୨୪ ତାରିଖରେ ଭୋଟ ଗଣତି ହେବାକୁ ଦିନ ଧାର୍ଯ୍ୟ କରାଯାଇଛି।
ନିର୍ବାଚନ ସମୟରେ ଜାହାଙ୍ଗୀର ଖାନ ବେଶ୍ ଚର୍ଚ୍ଚାରେ ଥିଲେ । ସେ ଉତ୍ତର ପ୍ରଦେଶର ଜଣେ ପ୍ରମୁଖ ଆଇପିଏସ ଅଧିକାରୀ ଅଜୟ ପାଲ ଶର୍ମାଙ୍କୁ ପର୍ଯ୍ୟବେକ୍ଷକ ଭାବରେ ନିୟୋଜନ ଉପରେ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ, ଏହା ବଙ୍ଗଳା । ଯଦି ସେ ସିଘଂମ, ତେବେ ମୁଁ ପୁଷ୍ପା । ଏହି ବକ୍ତବ୍ୟ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା ।

