ଡେରାଡୁନ : ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମେଜର ଜେନେରାଲ ଭୁବନ ଚନ୍ଦ୍ର ଖଣ୍ଡୁରୀଙ୍କ ପରଲୋକ ହୋଇଛି । ଦୀର୍ଘଦିନରୁ ଅସୁସ୍ଥ ଥିଲେ ଖଣ୍ଡୁରୀ । ଡେରାଡୁନରେ ଶେନ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ନିଧନରେ ଉତ୍ତରାଖଣ୍ଡରେ ଶୋକର ଲରି ଖେଳିଯାଇଛି । ରାଜନୈତିକ, ପ୍ରଶାସନିକ କ୍ଷେତ୍ର ସହିତ ଜଡିତ ଲୋକ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ମେଜର ଜେନେରାଲ ଭୁବନ ଚନ୍ଦ୍ର ଖଣ୍ଡୁରୀ ଭାରତୀୟ ସେନାର ପୂର୍ବତନ ଅଧିକାରୀ ଥିଲେ । ସେନାରେ ଦୀର୍ଘଦିନ କାମ କରିବା ପରେ ରାଜନୀତିରେ ପାଦ ଦେଇଥିଲେ । ଖଣ୍ଡୁରୀଙ୍କ କଡ଼ା ଅନୁଶାସନ, ସ୍ପଷ୍ଟବାଦିତା ଏବଂ କର୍ତ୍ତବ୍ୟନିଷ୍ଠତା ଯୋଗୁଁ ଉତ୍ତରାଖଣ୍ଡ ରାଜନୀତିରେ ଏକ ଅଲଗା ପରିଚୟ କରିପାରିଥିଲେ ।
୨୦୦୭ରେ ଖଣ୍ଡୁରୀ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୭ରୁ ୨୦୦୯ ଯାଏଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ଏହି ସମୟରେ ପ୍ରଶାସନିକ ସୁଧାର, ରାସ୍ତା ନିର୍ମାଣ ଏବଂ ପାରିଦର୍ଶିତାକୁ ନେଇ ଅନେକ ବଡ଼ ନିଷ୍ପତ୍ତି ନେଇଥିଲେ । ୨୦୦୯ରେ ଲୋକସଭା ନିର୍ବାଚନରେ ପାର୍ଟିର ପ୍ରଦର୍ଶନ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ୨୦୧୧ରେ ପୁଣିଥରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୧ ସେପ୍ଟେମ୍ବରରୁ ମାର୍ଚ୍ଚ ୨୦୧୨ ଯାଏଁ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ ।
ତେବେ ତାଙ୍କ ନିଧନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସମେତ ଅନେକ ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଖଣ୍ଡୁରୀ ଜୀଙ୍କ ଯୋଗଦାନ ଉତ୍ତରାଖଣ୍ଡ ବିକାଶ ଓ ସୁଶାସନ ପାଇଁ ସବୁବେଳେ ମନେ ରହିବେ । ଏକ ଅନୁଶାସିତ, କର୍ମଠ ଏବଂ ଦୂରଦର୍ଶୀ ନେତା ରହିଥିଲେ । ଯାହାଙ୍କ ଅଭାବ ସବୁବେଳେ ଅନୁଭୂତ ହେବ ।

