ଇସ୍ତଫା ପତ୍ରରେ ଦେବାଶିଷ ଦଳ ପ୍ରତି ନିଜର ଦୀର୍ଘଦିନର ଅବଦାନ ଓ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ରାଜ୍ୟସଭାକୁ ପଠାଇଥିବାରୁ ସେ ନବୀନଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହ ଅବିଭକ୍ତ କଟକ ଜିଲ୍ଲାର ଲୋକଙ୍କ ସେବା କରିବା ଓ ଜାତୀୟ ସ୍ତରରେ ଓଡ଼ିଶାର ପ୍ରସଙ୍ଗ ଉଠାଇବାର ସୁଯୋଗ ପାଇଥିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି।
କିନ୍ତୁ ଇସ୍ତଫା ପତ୍ରର ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଦଳ ଭିତରେ ନିଜକୁ ଅପମାନିତ ଅନୁଭବ କରିବାର ଅଭିଯୋଗ। ଦେବାଶିଷ ଲେଖିଛନ୍ତି, ସେ ସବୁବେଳେ ଦଳର ହିତ ପାଇଁ କାମ କରିଛନ୍ତି ଓ ଦଳ ପ୍ରତି ନିଷ୍ଠା ରଖିଛନ୍ତି। କିନ୍ତୁ ଶେଷ କିଛି ସମୟ ଧରି ଦଳ ଭିତରେ ତାଙ୍କୁ ଯୋଜନାବଦ୍ଧ ଭାବେ ଛୋଟ କରାଯାଉଥିବା ଭଳି ଅନୁଭବ ହେଉଛି ବୋଲି ସେ କହିଛନ୍ତି। ଏହାପରେ ସେ ଏହି କଠିନ ନିଷ୍ପତ୍ତି ନେଇଥିବା ଉଲ୍ଲେଖ କରିଛନ୍ତି।
ଦେବାଶିଷ ସାମନ୍ତରାୟ କଟକ ରାଜନୀତିରେ ବିଜେଡିର ଏକ ପରିଚିତ ଚେହେରା। ଦଳର ସଙ୍ଗଠନ ଓ ନିର୍ବାଚନୀ ରଣନୀତିରେ ତାଙ୍କର ଦୀର୍ଘ ଅନୁଭବ ରହିଛି। ସେହିପରି ତାଙ୍କ ଇସ୍ତଫା ବିଜେଡି ପାଇଁ ଏକ ରାଜନୈତିକ ଝଟକା ବୋଲି ଦେଖାଯାଉଛି।

