ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ବୃଦ୍ଧିକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ, ମୁଦ୍ରାସ୍ଫୀତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କୁ ଘେରିଛନ୍ତି। ରାହୁଲ କେନ୍ଦ୍ର ମୋଦୀ ସରକାର ଉପରେ ଧୀରେ ଧୀରେ ତେଲ ଦର ବୃଦ୍ଧି କରିବା ଏବଂ ସାଧାରଣ ଲୋକଙ୍କ ପକେଟ କାଟୁଥିବା ଅଭିଯୋଗ କରିଛନ୍ତି। ରାହୁଲ ଗାନ୍ଧୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି,ମୁଦ୍ରାସ୍ଫୀତି ମାନବ ମୋଦୀଙ୍କର ପୁଣି ଥରେ ଆକ୍ରମଣ। ସେ ଗୁପ୍ତ ଭାବରେ ଆପଣଙ୍କ ପକେଟ କାଟିବା ପାଇଁ କିସ୍ତିରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରୁଛନ୍ତି। ମୁଁ ମାସ ମାସ ଧରି ଏକ ଆର୍ଥିକ ଝଡ଼ର ପୂର୍ବାନୁମାନ କରିଆସୁଛି। କିନ୍ତୁ ମୋଦୀ ନିର୍ବାଚନ ସହିତ ବ୍ୟସ୍ତ ଥିଲେ ଏବଂ ନିର୍ବାଚନ ଶେଷ ହେବା ମାତ୍ରେ ସେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୮ ଟଙ୍କା ବୃଦ୍ଧି କଲେ। ଏହି ବୃଦ୍ଧି ଜାରି ରହିବ। ମୁଦ୍ରାସ୍ଫୀତି ହେଉଛି ମୋଦୀଙ୍ରକ ଏକମାତ୍ର କାମ। ନିର୍ବାଚନ ସମୟରେ ପ୍ରତିଶ୍ରୁତି ଏବଂ ବାକି ସମୟରେ ଜନସାଧାରଣଙ୍କ ପକେଟ କାଟିବା। ଏହି ସମୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ମଧ୍ୟ ୧୦ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଁ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଇନ୍ଧନ ଲୁଟ୍ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ।

